ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷରେ ଶତକ ମାରି ଭାରତ ପାଇଁ ବିରାଟ ସାଜିଲେ ସଙ୍କଟମୋଚକ

38

କନକ ବ୍ୟୁରୋ : ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ଅଧିନାୟକ ବିରାଟ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଦମଦାର ୧୪୯ ରନ ବଳରେ ଫଲୋଅନରୁ ରକ୍ଷା ପାଇଛି ଟିମ ଇଣ୍ଡିଆ । ଏକଦା ୧୪୮ ରନରେ ୬ ୱିକେଟ ହରାଇ ଭାରତୀୟ ଟିମ୍ ସଂଘର୍ଷ କରୁଥିବା ବେଳେ ଟେଲ ଏଣ୍ଡରଙ୍କୁ ସାଥୀ କରି ନିଜର ୨୨ ତମ ଶତକ ପୁରଣ କରିଥିଲେ କୋହଲି । ଆଉ ଏହାସହ ଭାରତ ୨୫୦ ରନ ପାର କରିଥିଲା ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୭ ରନ କରିଥିଲା । ଜବାବରେ ବିରାଟଙ୍କ ଲଢୁଆ ଇନିଂସ ବଳରେ ୨୭୪ ରନ କରିଥିଲା ଟିମ୍ ଇଣ୍ଡିଆ । ଆଉ ଏହାସହ ପ୍ରଥମ ଇନିଂସରେ ୧୩ ରନ ପଛରେ ରହିଥିଲା ଭାରତ । ତେବେ ଭାରତୀୟ ଇନିଂସରେ ବିରାଟଙ୍କ ବ୍ୟାଟିଂକୁ ବେଶ ଉପଭୋଗ କରିଥିଲେ କ୍ରିକେଟ ପ୍ରେମୀ । ଇଂଲଣ୍ଡ ମାଡିରେ ପ୍ରଥମ ଶତକ ହାସଲ କରିଥିବା ବିରାଟଙ୍କ ଏହି ଇନିଂସରେ ୨୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଟିମ ଇଣ୍ଡିଆ ପକ୍ଷରୁ ପ୍ରାରମ୍ଭିକ ଯୋଡି ବେଶ ଦୃଢତାର ସହ ବ୍ୟାଟିଂ କରିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଗୋଟିଏ ସମୟରେ ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ସଂଘର୍ଷ କରୁଥିବା ଟିମ ଇଣ୍ଡିଆର ମଙ୍ଗ ଧରିଥିଲେ ନିଜେ ମଙ୍ଗୁଆଳ ବିରାଟ କୋହଲି ।