ସୋସିଆଲ ମିଡିଆରେ ଗୁଜବକୁ ନେଇ କଠୋର ହେଲେ ସରକାର : ନିଜ ପ୍ଲାଟଫର୍ମରେ ଦାୟିତ୍ୱହୀନ ଓ ବିସ୍ଫୋରକ ସନ୍ଦେଶ ଉପରେ ରୋକ ଲଗାଇବାକୁ ହ୍ୱାଟସଆପକୁ ଦେଲେ ଚେତାବନୀ

25

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଗୁଜବକୁ ନେଇ କଠୋର ହେଲେ କେନ୍ଦ୍ର ସରକାର । ବିଶେଷ କରି ହ୍ୱାଟସଆପରେ ପିଲା ଚୋରୀ ଭଳି ବିଭିନ୍ନ ପ୍ରକାର ଗୁଜବ ଘୁରି ବୁଲିବା ଦ୍ୱାରା ଲୋକଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ । ଏଭଳି ଘଟଣା ପାଇଁ ହ୍ୱାଟସଆପ ଭଳି ସାମାଜିକ ଗଣମାଧ୍ୟମ ଅଧିକାଂଶ ମାତ୍ରାରେ ଦାୟୀ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏଭଳି ଦାୟିତ୍ୱହୀନତା ଓ ବିସ୍ଫୋରକ ସନ୍ଦେଶକୁ ନିଜ ପ୍ଲାଟଫର୍ମରେ ରୋକ ଲଗାଇବା ପାଇଁ ଗତକାଲି ହ୍ୱାଟସଆପକୁ ଚେତାବନୀ ଦେଇଛନ୍ତି ।

ଏହାସହ ଫେସବୁକକୁ ମଧ୍ୟ ସରକାର ଛାଡି ନାହାନ୍ତି । ଏହି ଘଟଣାରେ ଫେସବୁକର ମାଲିକାନାରେ ଥିବା କମ୍ପାନୀ ମଧ୍ୟ ନିଜ ଦାୟିତ୍ୱ ଓ ଉତରଦାୟିତ୍ୱରୁ ଓହରି ପାରିବେ ନାହିଁ । ତେବେ ଗତ କିଛି ମାସ ହେବ ପିଲା ଚୋରୀ ଭଳ ଗୁଜବ ସୋସିଆଲ ମିଡିଆରେ ଘୁଲି ବୁଲିବା ଦ୍ୱାରା ଆସାମ, ମହାରାଷ୍ଟ୍ର, କର୍ଣ୍ଣାଟକ, ତ୍ରିପୁରା ଓ ପଶ୍ଚିମବଙ୍ଗରେ ଲୋକଙ୍କୁ ପିଟିପିଟି ହତ୍ୟା କରାଯିବା ଭଳି ଘଟଣାକୁ ଦୁଃଖ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସରକାର। ହ୍ଵାଟସଆପ୍ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ଦିଆନିଆ ବନ୍ଦ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ ଏହି ମେସେଜିଂ ଆପକୁ କହିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିବୃତିରେ କୁହାଯାଇଛି ଯେ ହ୍ଵାଟ୍ସଆପ୍ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ପ୍ରସାରଣ ଆଦୌ ଗ୍ରହଣୀୟ ନୁହେଁ। ଏହି ଗୁଜବରୁ ଘଟୁଥିବା ହତ୍ୟାକାଣ୍ଡ ଖୁବ୍ ଯନ୍ତ୍ରଣାଦାୟକ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ଗୁଜବ ରୋକିବା ପାଇଁ ସୋସିଆଲ ନେଟଓ୍ଵର୍କିଂ ସାଇଟ୍ ଫେସବୁକ୍, ଟ୍ଵିଟର ଏବଂ ହ୍ଵାଟସଆପର ସହାୟତା ନିଆଯିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ ବିସ୍ତାର ଆଲୋଚନା ପାଇଁ ମନ୍ତ୍ରାଳୟ ପକ୍ଷରୁ ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତି କରାଯାଉଛି।