ଭାରି ପଡି଼ଲା ଭିଡିଓ ? ହିରୋ ହେବା ନିଶାରେ ହାରିଗଲେ ଯୁବକ: କୁମାରଙ୍କ କାହାଣୀ ପଢନ୍ତୁ, ସଚେତନ ହୁଅନ୍ତୁ…

40,735

କନକ ବ୍ୟୁରୋ: ସବୁ ସୀମା ସରହଦ ଡେଇଁଗଲେ ଯୁବପିଢି । ଲୋକପ୍ରିୟ ଓ ଚର୍ଚ୍ଚିତ ହେବା ନିଶାରେ ନିଜ ଜୀବନକୁ ବି ବାଜିରେ ଲଗାଇବାକୁ ପଛାଉ ନାହାନ୍ତି ଯୁବଗୋଷ୍ଠୀ । ସୋସିଆଲ ମିଡିଆରେ ସେନସେସନ ପାଲଟିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ଆଉ ଏତିକି ବେଳେ ରାତାରାତି ଷ୍ଟାର ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଟିକଟକକୁ ମୁଖ୍ୟ ମାଧ୍ୟମ ବାଛି ନେଇଛନ୍ତି ଯୁବଗୋଷ୍ଠୀ । ତେବେ ଟିକଟକ ପାଇଁ ପାଗଳ ହେଉଥିବା, ଦିନ ରାତି ଏକ କରିଦେଇ ମୋବାଇଲରୁ ମୁହଁ ବାହାର କରୁନଥିବା ଯୁବକ ଯୁବତୀଙ୍କ ପାଇଁ କର୍ଣ୍ଣାଟକରୁ ଆସିଛି ଏକ ଚମକାଇ ଦେଲା ଭଳିଆ ଖବର । ଟିକଟକ ନିଶାରେ ଜଣଙ୍କ ଜୀବନ ଯାଇଛି ।

ତେବେ କର୍ଣ୍ଣାଟକ ତୁମକୁରୁ ଜିଲ୍ଲାର ଜଣେ ଯୁବକ ଟିକଟକ କରୁକରୁ ପ୍ରାଣ ହରାଇଛନ୍ତି । ୨୨ ବର୍ଷିୟ ଯୁବକ କୁମାର ନିଜ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ ଟିକଟକ କରିବାକୁ ମନସ୍ଥ କରିଥିଲେ । ଆଉ ତାପରେ ୨ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ଭିଡିଓ ତିଆରି କରିବାକୁ କହି ଆଉ ଜଣଙ୍କୁ ଷ୍ଟଣ୍ଟରେ ସାହାଯ୍ୟ କରିବାକୁ କହିଥିଲେ । ଭିଡିଓଟି ସ୍ଲୋ ମାସନ ଥିବାରୁ କୁମାର କିଛି ଦୂରରୁ ଦୌଡି ଦୌଡି ଆସି ନିଜ ସାଙ୍ଗଙ୍କ ହାତରେ ଗୋଡ ଦେଇ ପଛୁଆ ଓଲଟୁଥିଲେ । ମାତ୍ର କୁମାରଙ୍କୁ ଭାଗ୍ୟ ସାଥ୍ ଦେଇନଥିଲା । ଡେଇଁବାରେ ସମୟ ଖାପନଖାଇବାକୁ ତଳେ ମୁହଁମାଡି ପଡିଥିଲେ କୁମାର ।

ପଛୁଆ ଓଲଟିବା ଫଳରେ କୁମାରଙ୍କ ବେକରେ ଜୋର ଆଘାତ ଲାଗିଥିଲା । କହିବାକୁ ଗଲେ ତାଙ୍କ ବେକ ମୋଡିହୋଇ ଯାଇଥିଲା । ଦୁର୍ଘଟଣା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୁନ ୧୮ରୁ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ କୁମାର । ନିଜ ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପୂରା ପରିବାର । ସବୁଠାରୁ ବଡ କଥା ହେଉଛି କୁମାରଙ୍କ ପାଖରେ କୌଣସି ମୋବାଇଲ ନଥିଲା ସାଙ୍ଗ ମୋବାଇଲରେ ଭିଡିଓ ସୁଟିଂ କରି, ଏଭଳି ଏକ ବିପଦଜନକ ଷ୍ଟଣ୍ଟ କରି ନିଜ ଜୀବନକୁ ବାଜିରେ ଲଗାଇ ହାରି ଯାଇଛନ୍ତି କୁମାର ।

କୁମାରଙ୍କ ଏ କାହାଣୀ ଶୁଣିଲା ପରେ ହୁଏତ ପାଗଳ ଭଳି ଟିକଟକ ଭିଡିଓ ବନାଉଥିବା ଯୁବକ ଯୁବତୀ ମାନେ ଚେତିବେ ନିଶ୍ଚୟ । ହିରୋ, ହିରୋଇନ ହେବାର ସ୍ୱପ୍ନ ପୂରଣ ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପୂର୍ବରୁ ନିଜ ପରିବାର କଥା ମନେପକାଇବେ ନିଶ୍ଚିତ । ଆଉ ସମୟ ନଷ୍ଟ କରି ଅହରହ ମୋବାଇଲରୁ ମୁହଁ ହଟାଉ ନଥିବା ଯୁବଗୋଷ୍ଠୀ ସଚେତନ ହେବେ ବୋଲି ଆମର ଆଶା ।