ସେଞ୍ଚୁରିଆନରେ ଟିମ୍ ଇଣ୍ଡିଆ ପାଇଁ ତ୍ରାଣକର୍ତ୍ତା ସାଜିଲେ କ୍ୟାପଟେନ କୋହଲି ! କ୍ୟାରିୟରର ୨୧ତମ ଟେଷ୍ଟ ଶତକ କଲେ ହାସଲ

43

ସେଞ୍ଚୁରିଆନର ସୁପରସ୍ପୋର୍ଟ୍ସ ଷ୍ଟାଡିୟମରେ କ୍ୟାପଟେନ କୋହଲି କଲେ କମାଲ । ଭାରତ -ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଶତକୀୟ ଇନିଂସ ବଳରେ ଭାରତ ଏବେ ମ୍ୟାଚକୁ ଫେରିଛି । ନିଜ କ୍ୟାରିୟରର ୨୧ ତମ ଟେଷ୍ଟ ଶତକ ହାସଲ କରି ଭାରତ ପାଇଁ ସଙ୍କଟମୋଚନ ସାଜିଛନ୍ତି ବିରାଟ । ଏହାସହ ସଚିନଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ କୋହଲି ଦକ୍ଷିଣ ଆଫ୍ରିକା ମାଟିରେ ଦୁଇରୁ ଅଧିକ ଶତକ ହାସଲ କରିବାର ସଫଳତା ହାସଲ କରିଛନ୍ତି । ଏହାପୂର୍ବରୁ କେବଳ ସଚିନ ତେନ୍ଦୁଲକର ଦକ୍ଷିଣ ଆଫ୍ରିକା ମାଟିରେ ୫ଟି ଶତକ ହାସଲ କରିଥିଲେ ।

Cricket - India v South Africaଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ ଜିତି ପ୍ରଥମ ଇନିଂସରେ ୩୩୫ ରନ କରିଥିଲା । ମକରମଙ୍କ ୯୪ ରନ ଓ ଅଶ୍ୱିନଙ୍କ ୮୨ ରନର ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ୩୩୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୪ଟି ୱିକେଟ ହାସଲ କରିଥିଲେ । ତେବେ ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ମଧ୍ୟ ସେତେଟା ଉତ୍ସାହଜନକ ନଥିଲା । ଧୱନଙ୍କ ସ୍ଥାନରେ ଟିମରେ ସ୍ଥାନ ପାଇଥିବା ଲୋକେଶ ରାହୁଲ ବିଫଳ ହୋଇଥିବା ବେଳେ ମୁରଲୀ ବିଜୟ କିଛି ସମୟ ଧରି ଦକ୍ଷିଣ ଆଫ୍ରିକା ବୋଲରଙ୍କ ବିପକ୍ଷରେ ଲଢେଇ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟସମ୍ୟାନ ମାନେ କେହି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ । ତେବେ କ୍ୟାପଟେନ କୋହଲିଙ୍କ ଦମଦାର ଶତକ ବଳରେ ଭାରତ ଫଲୋଅନରୁ ରକ୍ଷା ପାଇଯାଇଛି ସତ କିନ୍ତୁ ଏଯାଏଁ ମଧ୍ୟ ଭାରତ ଉପରୁ ବିପଦ ଟଳିନାହିଁ ।

ଲଗାତାର ୯ଟି ସିରିଜ ଜିତିବା ପରେ ଭାରତ ଟେଷ୍ଟ ରାକିଂରେ ଏକନମ୍ବର ସ୍ଥାନ ହାସଲ କରିଛି । ଚଳିତ ସିଜିନରେ ଭାରତ ମୋଟ ୧୨ଟି ଟେଷ୍ଟ ଖେଳିବାକୁ ଥିବା ବେଳେ ପ୍ରଥମ ଟେଷ୍ଟରେ ଦକ୍ଷିଣ-ଆଫ୍ରିକା ନିକଟରୁ ପରାଜିତ ହୋଇଛି । ଏହାସହ ୩ଟିକିଆ ସିରିଜରେ ଭାରତ ଏବେ ୧-୦ରେ ପଛୁଆ ରହିଛି । ତେଣୁ ଭାରତ ପାଇଁ ଏହି ମ୍ୟାଚ ଜିତିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ତେବେ ଭାରତ ୨-୦ରେ ସିରିଜ ହାରିଲେ ମଧ୍ୟ ଏହାର ନମ୍ବର-୧ ସ୍ଥାନ ଉପରେ ବିପଦ ରହିବ ନାହିଁ ।