ନକଲି ଶିକ୍ଷକଙ୍କ ପ୍ରତି ସାବଧାନ । ସ୍କୁଲରେ ପାଠ ପଢ଼ାଉଛନ୍ତି ଜାଲ୍ ଶିକ୍ଷକ । ରାଜ୍ୟରେ ୨୧୬ଜଣ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀ ଚିହ୍ନଟ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।

857

କନକ ବ୍ୟୁରୋ : ସାରା ରାଜ୍ୟରେ ଛାଇ ଯାଇଛନ୍ତି ନକଲି ଶିକ୍ଷକ । ଆସିକା ଓ କବିସୂର୍ଯ୍ୟନଗରରୁ ପୁଣି ୯ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । ଏମାନଙ୍କ ନାଁରେ ଏତଲା ଦେଇଛି ଶିକ୍ଷା ବିଭାଗ । ବିଧାନସଭାରେ ସରକାର ମାନିଛନ୍ତି, ରାଜ୍ୟରେ ୨୧୬ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଜାଲ ପ୍ରମାଣପତ୍ରଧାରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଚାକିରୀରୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ ।

ନକଲି ଶିକ୍ଷକଙ୍କ ପ୍ରତି ସାବଧାନ । ସ୍କୁୁଲରେ ପାଠ ପଢାଉଛନ୍ତି ଜାଲି ଶିକ୍ଷକ ଓ ଶିକ୍ଷୟତ୍ରୀ । ସାରା ରାଜ୍ୟରେ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଛି ଧରପଗଡ । ନକଲି ଶିକ୍ଷକଙ୍କୁ ଧରିବା ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଳେଖି କଡା ଆଭିମୁଖ୍ୟ ରଖିବା ସହ ତୁରନ୍ତ ଏହି ଜାଲି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନକଲି ଶିକ୍ଷକଙ୍କ କବଳରେ ଶିକ୍ଷା ବ୍ୟବସ୍ଥା । ବେଗୁନିଆପଡ଼ା, ପୋଲସରା ପରେ ଗଂଜାମ ଜିଲ୍ଲାର ଆସିକା ଓ କବିସୂର୍ଯ୍ୟନଗରରେ ଧରାପଡ଼ିଛନ୍ତି ଆଉ ୯ ଜଣ ନକଲି ଶିକ୍ଷକ । ଏହି ଶିକ୍ଷକଙ୍କ ନାଁରେ ଏତଲା ଦେଇଛି ଶିକ୍ଷା ବିଭାଗ ।

କେବଳ ଗଂଜାମ ନୁହେଁ ସାରା ରାଜ୍ୟରେ ଛାଇ ଯାଇଛନ୍ତି ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀ । ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଆମ ଶିକ୍ଷା ବ୍ୟବସ୍ଥା ଓ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଖୋଦ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସ ଜାଲି ଶିକ୍ଷକଙ୍କ ତାଲିକା ବିଧାନସଭାରେ ଦେଇଛନ୍ତି ।

ରାଜ୍ୟରେ ୨୧୬ଜଣ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀ ଚିହ୍ନଟ ହୋଇଛନ୍ତି । ପ୍ରାଥମିକ ସ୍କୁଲରେ ୧୫ଜଣ, ମାଧ୍ୟମିକ ସ୍କୁଲରେ ୭୬ ଜଣ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଧରା ପଡିଛନ୍ତି । ବଡ କଥା ହେଉଛି, ୧୨୫ ଜଣ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ଧରାପଡିଛନ୍ତି । ଏହା ସହିତ ଅନେକ ଜାଲି ଶିକ୍ଷକ, ଶିକ୍ଷା ବିଭାଗ ସ୍କାନରରେ ଅଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ବେଳେ କାହିଁକି ସେମାନଙ୍କ ସାର୍ଟିଫିକେଟ୍ ଭଲ ଭାବେ ଯାଂଚ କରାଯାଇନଥିଲା ? ରାଜକୋଷରୁ ଜାଲି ଶିକ୍ଷକଙ୍କ ବାବଦରେ ଖର୍ଚ୍ଚ ହୋଇଥିବା ବିପୁଳ ଅର୍ଥକୁ ଭରଣା କରିବ କିଏ ?