ଦେଶରେ ଉତ୍କଟ ହେଲାଣି ଜଳ ସମସ୍ୟା । ୨୧ ସହରରେ ଦେଖା ଦେଇପାରେ ଜଳ ସଙ୍କଟ, ଚେନ୍ନାଇରେ ବନ୍ଦ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ହୋଟେଲ

144

ଦେଶରେ ଏବେ ଉତ୍କଟ ହେଲାଣି ଜଳ ସମସ୍ୟା । ଦିନ ବିତିବା ସହ ଭାରତରେ ଜଳ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଯେଉଁ ଗାଁରେ ନଳକୂପରୁ କିଛି ସେକେଣ୍ଡ ମଧ୍ୟରେ ବାଲଟିରେ ପାଣି ଭରି ଯାଉଥିଲା, ଏବେ ସେଠାରେ ଲୋକେ ପିଇବାକୁ ପାଣି ପାଉ ନାହାନ୍ତି । ବିହାର ହେଉ ବା ତାମିଲନଡୁ ସବୁ ସ୍ଥାନରେ ଲୋକ ଏବେ ପାଣି ପାଇଁ ଡ଼ହଳ ବିକଳ ହେବା ଆରମ୍ଭ କଲେଣି । ଯଦି କିଛି ସମାଧାନର ବାଟ କଢ଼ା ନ ଯାଏ, ତେବେ ଆଗାମୀ ଦିନରେ ୨୧ଟି ସହରରେ ଜଳ ସଙ୍କଟ ଦେଖାଯିବ । ସବୁଠାରୁ ଅଧିକ ପ୍ରଭାବିତ ହେବ, ଦିଲ୍ଲୀ, ମେରଠ, ଗୁରୁଗ୍ରାମ ଏବଂ ଫରିଦାବାଦ୍ ।

ମ୍ୟାଗସେ ଆଓ୍ଵାର୍ଡ ବିଜେତା ରାଜେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ, ଯଦି ଆପଣ କୌଣସି ରାଜନୈତିକ ଦଳର ଘୋଷଣାପତ୍ର ଉଠାଇ ଦେଖିବେ, ତେବେ ପାଣି ସମସ୍ୟା ସେମାନଙ୍କ ପାଇଁ କୌଣସି ବଡ଼ ବିଷୟ ନୁହେଁ । ସେମାନେ ଏହି ସମସ୍ୟାକୁ ଗୁରୁତ୍ୱ ଦେଉ ନାହାନ୍ତି । ସେମାନଙ୍କ ଆଖିରେ ପାଣି ଶୁଖି ସାରିଛି । ଯେତେବେଳେ ପାଣି ସରକାରଙ୍କର ପ୍ରାଥମିକତା ଥିଲା, ସେତେବେଳେ ବଡ଼ ବଡ଼ ଡ୍ୟାମ୍ ନିର୍ମାଣ କରାଯାଇଥିଲା । କେବଳ ମହାରାଷ୍ଟ୍ରରେ ୪୨ଟି ବଡ଼ ବଡ଼ ଡ୍ୟାମ୍ ରହିଛି । କିନ୍ତୁ ଏବେ ପାଣି ପାଇଁ ରାଜନେତାଙ୍କ ପାଖରେ କୌଣସି ଯୋଜନା ନାହିଁ । କେବଳ ଭୋଟ ମାଗିବା ପାଇଁ ସେମାନେ ଏ ବିଷୟରେ ଆଲୋଚନା କରିଥାନ୍ତି । କିନ୍ତୁ ପାଣି ସମସ୍ୟାକୁ ଦୂର କିପରି କରାଯିବ, ସେ ବିଷୟରେ ଏବେ କେହି ଚିନ୍ତା କରୁ ନାହାନ୍ତି । ଏଭଳି ଲାଗି ରହିଲେ ୨୧ଟି ସହରରେ ଜିରୋ ଓ୍ଵାଟର ଡେ ହୋଇଯିବ । ନଳକୂପରୁ ପାଣି ବାହାରିବା ବନ୍ଦ ହୋଇଯିବ । ଚେନ୍ନାଇରେ ମଧ୍ୟ ଜଳ ସଙ୍କଟ ଦେଖାଯିବା ସହ ହୋଟେଲ ବନ୍ଦ ହେବାରେ ଲାଗିଛି ।