ବିହାର ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି: ରାତିତମାମ ଉଦ୍ଧାର ପରେ,ଏବେ ବି ଅନେକ ନିଖୋଜ

37

କନକ ବ୍ୟୁରୋ : ବିହାର ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଅନେକ ଯାତ୍ରୀ ଏବେ ବି ନିଖୋଜ ଥିବା କୁହାଯାଉଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗଙ୍ଗା ନୀଦରେ ଦୁଇଟି ଡଙ୍ଗା ବୁଡି ଯାଇଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୨ଟି ମୋଟର ବୋଟରେ ଦେଢଶହରୁ ଅଧିକ ଯାତ୍ରୀ ଥିଲେ । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ପାଟନା ସହର ନିକଟ ଗଙ୍ଗା ନଦୀର ଆଇନ ମହାବିଦ୍ୟାଳୟ ଘାଟରେ ଡଙ୍ଗା ବୁଡିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି । ଏମାନଙ୍କ ପରିଚୟ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଥମେ ଗୋଟିଏ ବୋଟରେ ପାଣି ପଶିଥିଲା । ଯାତ୍ରୀ ଭୟଭିତ ହୋଇ ଅନ୍ୟ ବୋଟକୁ ଡେଇଁ ପଡିଥିଲେ । ଫଳରେ ଭାରସାମ୍ୟ ହରାଇ ଦୁଇଟିଯାକ ମୋଟର ବୋଟ ମଝି ନଈରେ ବୁଡି ଯାଇଥିଲା । ଗୋଟିଏ ଡଙ୍ଗା ମିଳିଥିବାବେଳେ ଅନ୍ୟଟିର ପତ୍ତା ମିଳୁନାହିଁ ।

ରାତିତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନେକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ, ଏବେ ବି ବହୁ ଯାତ୍ରୀଙ୍କ ପତ୍ତା ମିଳୁନାହିଁ । ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ । କିନ୍ତୁ କେତେ ସଂଖ୍ୟକ ଯାତ୍ରୀ ଥିଲେ ଜଣା ପଡନଥିବାରୁ ନିଖୋଜଙ୍କ ସଂପର୍କରେ ସଠିକ ତଥ୍ୟ ମିଳିପାରୁ ନାହିଁ । ଅନେକଙ୍କୁୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଲୋକେ ନିଜ ନିକଟ ସଂପର୍କୀୟଙ୍କୁ ଖୋଜୁଥିବା ଦେଖାଯାଇଛି ।

ଏସଡିଆରଏଫ ସଚିବ ପ୍ରତ୍ୟୟ ଅମ୍ରିତଙ୍କ କହିବା ଅନୁସାରେ ଗଙ୍ଗା ନଦୀ ମଝିରେ ଥିବା ଏକ ଟାପୁରେ ବେଆଇନ ଆମ୍ୟୁଜମେଂଟ ପାର୍କ ଚାଲିଥିଲା ଏବଂ ଏହି ପାର୍କକୁ ଯିବା ସମୟରେ ଡଙ୍ଗା ବୁଡିଯାଇଛି । ଜିଲ୍ଲା ପ୍ରଶାସନଠାରୁ କୌଣସି ଅନୁମତି ନନେଇ ଆୟୋଜକ ଏହି ପାର୍କରେ ଗୁଡି ଉଡା କାର୍ଯ୍ୟକ୍ରମ ରଖିଥିଲେ । ଏନେଇ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମକର ସଂକ୍ରାନ୍ତି ଅବସରରେ ଗଙ୍ଗା ଘାଟରେ ଗୁଡି ଉଡା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସରକାରୀ ବୋଟ ଯୋଗାଇ ଦିଆଯାଇଥିଲା । ତେବେ କେତେକ ବେଆଇନ ବୋଟ ମଧ୍ୟ ଯାତ୍ରୀଙ୍କୁ ନେଇ ଗଙ୍ଗା ପାର କରାଉଥିବା ଅଭିଯୋଗ ହୋଇଛି । ଦୁଇଟି ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ପର୍ଯ୍ୟଟନ ବିଭାଗର ଷ୍ଟିମର ଏମ.ଭି. କୌଟିଲ୍ୟ ପ୍ରାୟ ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି ।

ଡଙ୍ଗା ବୁଡି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ଘଟଣାସ୍ଥଳରେ ପହଂଚିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ସ୍ଥାନୀୟ ବିଜେପି ନେତା ଗଙ୍ଗା ଘାଟରେ ପହଂଚି ରାଜ୍ୟ ସରକାରଙ୍କ ଅବହେଳାକୁ ଦୋଷ ଦେଇଛନ୍ତି । ବିଳମ୍ବରେ ପ୍ରଶାସନ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ।