୨୦୧୯ ପାଇଁ ବିଜେପିର ରଣନୀତି : ଲୋକସଭା ସହ ହୋଇପାରେ ୧୧ ରାଜ୍ୟର ବିଧାନସଭା ନିର୍ବାଚନ

25

କନକ ବ୍ୟୁରୋ : ଆସନ୍ତା ବର୍ଷ ପ୍ରାରମ୍ଭରେ ଲୋକସଭା ସହିତ ୧୧ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି । ୨୦୧୯ ପାଇଁ ବିଜେପ ରଣନୀତି ପ୍ରସ୍ତୁତ କରିଛି । ଲୋକସଭା ସହ ହୋଇପାରେ ୧୧ ରାଜ୍ୟର ବିଧାନସଭା ନିର୍ବାଚନ । ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାଯାଇଛି । ଚଳିତବର୍ଷ ୪ଟି ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମ ନିର୍ବାଚନକୁ ଆସନ୍ତାବର୍ଷକୁ ଘୁଂଚାଇ ଦିଆଯାଇପାରେ । ବିହାରରେ ବି ଆଗୁଆ ଭୋଟ ହେବା ସମ୍ଭାବନା ରହିଛି । ଏ ନେଇ ବିଜେପି ଆଇନ କମିଶନକୁ ପତ୍ର ଲେଖିବା ପରେ ଚର୍ଚ୍ଚା ଜୋର ଧରିଛି । ଏହି ରାଜ୍ୟ ସହ ମହାରାଷ୍ଟ, ହରିୟାଣା, ଝାଡଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମରେ ରାଷ୍ଟପତି ଶାସନ ଅବଧି ବଢାଇ ଓ ହରିୟାଣା, ବିହାର, ମହାରାଷ୍ଟ୍ର, ଝାଡଖଣ୍ଡରେ ସମୟ ପୂର୍ବରୁ ବିଧାନସଭା ଭଙ୍ଗ କରାଯାଇ ଭୋଟ କରାଯାଇପାରେ । ଏ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଲାଗି କୌଣସି ସାମ୍ବିଧାନିକ ସମମସ୍ୟା ରହିବ ନାହିଁ । ଅଧିକାଂଶ ରାଜ୍ୟରେ ବିଜେପି ଓ ସହଯୋଗୀ ଶାସନ କରୁଥିବାରୁ ଏକକାଳୀନ ନିର୍ବାଚନ ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ ଆସନ୍ତାବର୍ଷ ଜାନୁଆରୀ ମାସରେ ବିଜେପି ଶାସିତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ସେହିଭଳି କଂଗ୍ରେସ ଶାସିତ ମିଜେରାମ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେବ । ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବା କଥା । କିନ୍ତୁ ଏହାକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯିବା ସହିତ ସଂପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ । ସେହିଭଳି ୨୦୧୯ ଶେଷ ଆଡ଼କୁ ହରିଆଣା, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବା କଥା । କିଂତୁ ଏହିସବୁ ବିଜେପି ଶାସିତ ରାଜ୍ୟରେ ନିର୍ବାଚନକୁ ଆଗୁଆ କରାଯିବାକୁ ଯୋଜନା ରହିଛି । ବିହାରରେ ୨୦୨୦ ଶେଷ ଆଡ଼କୁ ବିଧାନସଭା କାର୍ଯ୍ୟକାଳ ସରିବ । ତେବେ ଏଠାରେ ମଧ୍ୟ ଆସନ୍ତାବର୍ଷ ଲୋକସଭା ସହିତ ନିର୍ବାଚନ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହତ କଥାବାର୍ତା ଚାଲିଛି । ବିହାରରେ ନୀତୀଶଙ୍କ ଜେଡିୟୁ ସହିତ ବିଜେପି ମେଣ୍ଟ ସରକାର ଚଳାଇଛି ।

narendra-modi
image courtesy-https://www.hindustantimes.com/

ଲୋକସଭା ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେଉଥିବାରୁ ଏଠାରେ କୌଣସି ଅସୁବିଧା ନାହିଁ । ତେବେ ଯେଉଁ ୪ଟି ରାଜ୍ୟରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଯୋଜନା ଚାଲିଛି ସେଠାରେ ସମସ୍ୟା ସୃଷ୍ଟି ହୋଇପାରେ। କାରଣ ଗୋଟିଏ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ଶେଷ ହେଉଥିବା ବେଳେ ଅନ୍ୟ ତିନିଟି ରାଜ୍ୟରେ କାର୍ଯ୍ୟକାଳ ଆସନ୍ତା ଜାନୁଆରୀରେ ସରିବ । ଲୋକସଭା ସହିତ ନିର୍ବାଚନ କରିବାକୁ ହେଲେ ଏହି ୪ଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପଡ଼ିବ । କିନ୍ତୁ ସମ୍ବିଧାନ ବିଶେଷଜ୍ଞଙ୍କ ମତ ହେଉଛି ଯେ ନିର୍ବାଚନ ଘୁଞ୍ଚାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଠିକ୍ ନୁହେଁ । କେବଳ ସାମ୍ବିଧାନିକ ସଙ୍କଟ ହେଲେ ଯାଇ ରାଷ୍ଟ୍ରପତି ଶାସନ ଜାରି କରାଯାଇ ପାରିବ ।

ବିଜେପିର ଜଣେ ନେତା କହିଛନ୍ତି ଯେ ଲୋକସଭା ସହିତ ସମସ୍ତ ବିଧାନସଭା ନିର୍ବାଚନ ଏକ ସମୟରେ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆଗ୍ରହୀ । ତେବେ କଂଗ୍ରେସ ଏହାକୁ ବିରୋଧ କରୁଥିବାରୁ ସମ୍ବିଧାନରେ ସଂଶୋଧନ ସମ୍ଭବ ନୁହେଁ । ତେଣୁ ବିଜେପି ଶାସିତ ରାଜ୍ୟ ହୋଇଥିବାରୁ ସେଠାରେ ଏକ ସମୟରେ ନିର୍ବାଚନ କରିବାକୁ ଯୋଜନା ରହିଛି । ଏହାର ସବୁଠାରୁ ବଡ଼ ଲାଭ ହେବ ଯେ ଏକ ସମୟରେ ନିର୍ବାଚନ ହେଲେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ରହିଥିବା ସରକାର-ବିରୋଧୀ ହାଓ୍ଵା କାମ କରିବ ନାହିଁ । ଉଲ୍ଲେ୍ଖଯୋଗ୍ୟ ଯେ ଗତ ଲୋକସଭା ନିର୍ବାଚନ ୨୦୧୪ ଏପ୍ରିଲ-ମଇରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ମାର୍ଚ-ଏପ୍ରିଲରେ ହୋଇପାରେ ବୋଲି କୁହାଯାଉଛି ।