କେବଳ ବିରୋଧୀଙ୍କ ସହ ନୁହେଁ, ୨୦୧୯ରେ ନିଜ ସହ ନିଜେ ଲଢିବେ ମୋଦି । ଲମ୍ବିବ କିି ମୋଦିଙ୍କ ରାଜନୈତିକ ଗାର ନା ଶୁଖିଯିବ କାଳି ।

257

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୨୦୧୯ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବର୍ଷ ଅଟେ । ୨୦୧୩ର ନୂଆ ସକାଳ ଯେପରି ମୋଦିଙ୍କ ପାଇଁ ନୂଆ ଆଶାର ସମ୍ଭାରଣ ସୃଷ୍ଟି କରିଥିଲା, ୨୦୧୯ ମୋଦିଙ୍କ ପାଇଁ ସେତେ ଅଧିକ କଠିନ ରହିଥିବା ନଜର ଆସୁଛି । ୨୦୧୩ ସେପ୍ଟେମ୍ବର ମାସରେ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପରେ ନରେନ୍ଦ୍ର ମୋଦି ପ୍ରଚାର ରଥ ଗଡାଇଥିଲେ । ସେତେବେଳେ ଏମିତି ଲାଗୁଥିଲା, ଭ୍ରଷ୍ଟାଚାରର ଅଭିଯୋଗରେ ବାନ୍ଧି ହୋଇଥିବା ୧୦ ବର୍ଷର ପୁରୁଣା ସରକାର ଆଗରେ ସ୍ୱପ୍ନ ଏବଂ ଆଶାର ଥ୍ରୀଡି ଫିଲ୍ମ ଦେଖାଉଥିବା ଜଣେ ଯାଦୁଗର ଛିଡା ହୋଇଛନ୍ତି । ଯାହାଙ୍କ ପାଖରେ ରହିଥିଲା ସ୍ୱପ୍ନର ଭଣ୍ଡାର, ପ୍ରତିଜ୍ଞା ଏବଂ ଯାହା ନହୋଇଛି, ତାହା କରି ଦେଖାଇବାର ସଂକଳ୍ପ ।

ମୋଦି ଏପରି ଏକ ଆଇନା ହୋଇ ଛିଡା ହୋଇଥିଲେ, ଯେଉଁଥିରେ ସବୁ ସ୍ୱଚ୍ଛ ଦେଖାଯାଉଥିଲା । ଆଉ ଜନସାଧାରଣ ଏହି ଆଇନାକୁ ଗୁଜୁରାଟ ମଡେଲ ବୋଲି କହୁଥିଲେ । ସ୍ୱଚ୍ଛ ମୁହଁ ଦେଖାଉଥିବା ଏହି ଆଇନା ଉପରେ ଜନସାଧାରଣଙ୍କ ବିଶ୍ୱାସ ବଢିଥିଲା ଏବଂ ସାରା ଦେଶରେ ଗୁଞ୍ଜରିତ ହୋଇଥିଲା ସେହି ଗୋଟିଏ ନାରା, ‘ଅଚ୍ଛେ ଦିନ୍ ଆନେ ବାଲେ ହେଁ’ ।

ରାଜନୀତିର ନଦୀରେ ଗୋଟିଏ କୂଳରୁ ବିଶ୍ୱାସ ହରାଉଥିବା ଜନତାଙ୍କୁ ଅନ୍ୟ କୂଳର ସାଜସଜ୍ଜା ଅତ୍ୟନ୍ତ ଭଲ ଲାଗୁଥିଲା । ନରେନ୍ଦ୍ର ମୋଦିଙ୍କ ପ୍ରଚାର ଲହରୀ ଧିରେ ଧିରେ ଆଗକୁ ବଢୁଥିଲା । ଆଉ ଏହି ଲହରୀ ଆଗରେ ରାଜନୀତିର ତମାମ ଚେହେରା ଦୁର୍ବଳ ହେବାରେ ଲାଗିଥିଲେ । ଏହି ପ୍ରଚାର ଏବଂ ଦେଶରେ ପରିବର୍ତ୍ତନର ସ୍ୱରରେ ଭାରତ ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ବହୁମତ ସହ ସରକାର ଗଢିଥିବା କଂଗ୍ରେସ ସରକାରକୁ ହରାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି ।

ଏହାରି ଭିତରେ ବିତିଯାଇଛି ଦୀର୍ଘ ସାଢେ ୪ ବର୍ଷ । ଆଉ ୨୦୧୯ର ପ୍ରଥମ ସକାଳ ମନେପକାଉଛି ମୋଦି ସରକାରଙ୍କ ସାଢେ ୪ ବର୍ଷର କାହାଣୀ । ଜନସାଧାରଣଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ, ଦୁର୍ବଳ ହେଉଛି କି ମୋଦିଙ୍କ ଯାଦୁ ? ଗୁଜୁରାଟର ସେହି ଆଶାର ଆଇନା ଚମକିବା ପରିବର୍ତ୍ତେ ସେଥିରେ ଧୂଳି ଲାଗିଯାଇଥିବା ଏବେ ଚର୍ଚ୍ଚା ହେଉଛି । ଆଉ ଏପରି ମଧ୍ୟ କୁହାଯାଉଛି, ଲୋକମାନେ ଏପର୍ଯ୍ୟନ୍ତ ରୁଟି ଥିବା ଥାଳି ଭରା ପାଣିରେ ଜହ୍ନ ଦେଖୁଥିଲେ । ଏସବୁ ଚର୍ଚ୍ଚା ଭିତରେ ଏବେ ସମସ୍ତଙ୍କ ନଜର ୨୦୧୯ରେ କ’ଣ ହେବ ମୋଦିଙ୍କ ଭାଗ୍ୟ ।

ବିଗତ କିଛି ବର୍ଷରେ ଦକ୍ଷିଣ ଏସିଆରେ ଭାରତର ସ୍ଥିତି ଦୁର୍ବଳ ହୋଇଛି । ବିଶ୍ୱସ୍ଥରରେ ଭାରତର ଛବି କମଜୋର ପଡିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଲିଷ୍ଟରେ ଅଗଣିତ ବିଦେଶ ଯାତ୍ରାର ସୂଚୀ ରହିଛି । କିନ୍ତୁ ସେହି ତୁଳନାରେ ଭାରତର ଉପଲବ୍ଧ ଅତ୍ୟନ୍ତ କମ୍ ଅଟେ । ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିବା ନା ହିଁ ମୋଦିଙ୍କ ଭାଷଣ ଠାରୁ କମ୍ ହୋଇପାରିଛି, ନା ହିଁ ତାଙ୍କର ଚାହା ପିଆ ଠାରୁ । ଦେଶରେ ପେଟ୍ରୋଲ ଡିଜେଲ ଦର ଜନସାଧାରଣଙ୍କ ନିଜ ହଜାଇ ଦେଇଥିଲା ବେଳେ ଭାଙ୍ଗିଯାଇଛି ଚାଷୀଙ୍କ ମେରୁଦଣ୍ଡ । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ତ କରିଛନ୍ତି, କିନ୍ତୁ ଚାଷୀ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ । ଗାଁ ଗାଁରେ ବିଜୁଳୀ ତ ପହଞ୍ଚିଯାଇଛି, କିନ୍ତୁ ବିଜୁଳୀ ଦର ବି ଆକାଶଛୁଆଁ ।

କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୋଦିଙ୍କ ସବୁଠାରୁ ବଡ ପଦକ୍ଷେପ ଥିଲା ବିମୁଦ୍ରାକରଣ । ନୋଟବନ୍ଦୀ ଘୋଷଣା ହେବା ସାରା ଦେଶରେ ଚହଳ ପଡିଯାଇଥିଲା । କଳାଧନ ଫେରିଆସିବ ବୋଲି କହିବୁଲୁଥିବା ବିଜେପି ପାଇଁ ବିମୁଦ୍ରାକରଣ ଯୋଜନା ବି ବିଫଳ ସାବ୍ୟସ୍ତ ହେଲା । ପାଖାପାଖି ୯୯ ପ୍ରତିଶତ ପୁରୁଣା ଟଙ୍କା ରିଜର୍ଭ ବ୍ୟାଙ୍କକୁ ଫେରି ଆସିଥିଲା । ସେହିପରି ରୋଜଗାର ଦେବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରୁଥିବା ବେଳେ ଜନସାଧାରଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଙ୍କି ମାରିଲାଣି ।

ଏହି ସବୁ କାରଣ ହେୁଉଛି, ଆଗରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଗୋଟିଏ ଶବ୍ଦ ଶୁଣିବାକୁ ରାଜି ନଥିବା ଜନସାଧାରଣଙ୍କ ମନରେ ଏବେ ସମାଲୋଚନାର ବାସ୍ନା ଉଙ୍କି ମାରିଲାଣି । ଆଉ ଯାହାର ପ୍ରମାଣ ଦେଲା, ୫ଟି ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଜେପିର ପରାଜୟ ପରେ ମୋଦି ମ୍ୟାଜିକ୍ ଫିକା ପଡୁଥିବା ଏବେ ଚର୍ଚ୍ଚା ହେଉଛି । କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନ ଦେଖୁଥିବା ବିଜେପିକୁ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଦେଇଛି ଶକ୍ତ ଝଟକା ।
ମୋଦି ବନାମ ମୋଦି

ମୋଦିଙ୍କ ଯାଦୁ ଫିକା ପଡିଯାଇଛି ସତ, କିନ୍ତୁ ଚେହେରା ଉପରେ ଆଧାରିତ ରାଜନୀତିରେ ମୋଦି ଏବେବି ବିଜେପି ଏବଂ ଅନ୍ୟ ଦଳର ଚେହେରା ମାନଙ୍କ ଉପରେ ଭାରି ରହିଛନ୍ତି । କିନ୍ତୁ ଗଣତନ୍ତ୍ର କେବଳ ଗୋଟିଏ ଚେହେରା ଉପରେ ଚାଲୁଥିବା ଗାଡି ନୁହେଁ । ସେଥିପାଇଁ ୨୦୧୯ରେ ମୋଦିଙ୍କୁ ବିପକ୍ଷ ଦଳ ଗୁଡିକ ସହ କଡା ମୁକାବିଲା କରିବାକୁ ହେବ । କିନ୍ତୁ ସବୁଠାରୁ ବଡ କଥା ହେଉଛି, ୨୦୧୯ ନିର୍ବାଚନରେ ମୋଦିଙ୍କୁ ୨୦୧୪ ଅପେକ୍ଷା ଏକ ବଡ ରାଜନୀତିର ଗାର ଟାଣିବାକୁ ହେବ । ଯାହାକି ମୋଦିଙ୍କ ପାଇଁ ଏତେ ସହଜ ହେବ ନାହିଁ ।

ମୋଦିଙ୍କ ମୁକାବିଲା ଏବେ ମୋଦିଙ୍କ ସହ ହିଁ ହେବ । ୨୦୧୪ ଭଳି ନା ଏଥର ସେଭଳି ମୋଦିଙ୍କ ଲହରୀ ରହିଛି ନା ହିଁ ମୋଦିଙ୍କ ପାଇଁ ଆଶାର ଅନେକ ସ୍ୱପ୍ନର ଯାଦୁ କାମ କରିବ । ପ୍ରତିଟି କଥାରେ, ପ୍ରତିଟି ପ୍ରତିଜ୍ଞାରେ ଏପରିକି ମୋଦିଙ୍କ ପ୍ରତିଟି ଶବ୍ଦରେ ୨୦୧୯ରେ ଜନସାଧାରଣଙ୍କ ସାମ୍ନାରେ ଥିବା ମୋଦିଙ୍କ ତୁଳନା ୨୦୧୪ରେ ଥିବା ମୋଦିଙ୍କ ସହ ହେବ । ୨୦୧୪ରେ ଜନସାଧାରଣଙ୍କୁ ଦେଖାଇବା ପାଇଁ ମୋଦିଙ୍କ ପାଖରେ ଅନେକ ସ୍ୱପ୍ନ ରହିଥିଲା । କିନ୍ତୁ ଏଥର ମୋଦିଙ୍କ ପାଖରେ କେବଳ ୫ ବର୍ଷର ତାଙ୍କର ଉପଲବ୍ଧି ହିଁ ରହିବ । ଯଦି ଜନତା ଏହି ୫ ବର୍ଷର ସ୍ୱପ୍ନକୁ ସଜ୍ଜିତ ବୋଲି ମାନିବେ, ତେବେ ଯାଇ ମୋଦି ପୁଣି ଥରେ ଶାସନ ଗାଦିକୁ ଫେରିପାରିବେ । ୨୦୧୯ରେ ମୋଦିଙ୍କ ସାମ୍ନାରେ ବିରୋଧୀ ତ ରହିବେ । ଏହା ସହ ମୋଦିଙ୍କ ସାମ୍ନାରେ ୨୦୧୪ର ମୋଦି ମଧ୍ୟ ଛିଡା ହୋଇଥିବେ । ଏବେ ଦେଖିବାକୁ ରହିଲା ୨୦୧୯ରେ ମୋଦି ରାଜନୀତିର ଗାର ଟାଣିପାରୁଛନ୍ତି ନା ଇତିହାସ ରଚିବା ପୂର୍ବରୁ ତାଙ୍କ କଲମର କାଳି ଶୁଖିଯାଉଛି ।