କର୍ଣ୍ଣାଟକ ନିର୍ବାଚନ ପରେ ବଦଳୁଛି ଜାତୀୟ ରାଜନୀତିର ଦୃଶ୍ୟପଟ: ମିଳିତ ବିରୋଧୀ ଶକ୍ତିର ବିଜୟ ପରେ ନୂଆ ରଣନୀତି ପାଇଁ ଜାତୀୟ ଦଳର ପ୍ରସ୍ତୁତି

60

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳିବାରେ ଲାଗିଛି ଜାତୀୟ ରାଜନୀତିର ଚିତ୍ର । ମୋଦିଙ୍କ ହାୱାକୁ ରୋକିବାରେ ମିଳିତ ବିରୋଧୀ ଦଳ ସଫଳ ହୋଇଥିବା ବେଳେ ଏହି ଫର୍ମୁଲାକୁ ଆପଣେଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଏବେ ସମସ୍ତଙ୍କ ନଜର ବିଜେଡି ଉପରେ । କାରଣ ଏପର୍ଯ୍ୟନ୍ତ ଜାତୀୟ ରାଜନୀତିରେ କୌଣସି ଗୋଷ୍ଠୀକୁ ତାଙ୍କର ସମର୍ଥନ ଘୋଷଣା କରିନାହାନ୍ତି ନବୀନ । ରାଜନୈିତିକ ସମୀକ୍ଷକ ଆକଳନ କରୁଛନ୍ତି କେନ୍ଦ୍ରରେ ପରବର୍ତି ସରକାର ଯିଏ ଗଢୁ ନା କାହିଁକି ନବୀନ ତୁଲାଇ ପାରନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବୃଦ୍ଧି ପାଉଛି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱ । କାରଣ ନବୀନ ଏପରି ଜଣେ ନେତା ଯିଏ ଜାତୀୟ ରାଜନୀତିରେ କୌଣସି ଗୋଷ୍ଠୀ ଭୁକ୍ତ ନୁହଁନ୍ତି । କାରଣ କର୍ଣ୍ଣାଟକ ନିର୍ବାଚନ ଓ ନିକଟରେ ଶେଷ ହୋଇଥିବା ଉପନିର୍ବାଚନ ପରେ ବଦଳୁଛି ଜାତୀୟ ରାଜନୀତିର ଦୃଶ୍ୟପଟ । ମିଳିତ ବିରୋଧୀ ଶକ୍ତିର ବିଜୟ ଯେତିକି କଂଗ୍ରେସ ଓ ଅନ୍ୟ ଦଳଗୁଡିକୁ ଉତ୍ସାହିତ କରିଛି, ବିଜେପି ଶିବିରରେ ସେତିକି ଆଶଙ୍କା ଭରିଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଆଲୋଚନା ପର୍ଯ୍ୟାଲୋଚନା ।

୧୧ଟି ରାଜ୍ୟରେ ହୋଇଥିବା ଉପନିର୍ବାଚନ ଗୋଟିଏ କଥା ସ୍ପଷ୍ଟ କରିଛି, ବିରୋଧୀ ଶକ୍ତିି ଏକାଠି ହେଲେ ଆଗାମୀ ନିର୍ବାଚନ ବିଜେପି ପାଇଁ ସହଜ ହେବନାହିଁ । ତେଣୁ ଜାତୀୟ ରାଜନୀତିରେ ବିଜେଡି ନିର୍ଣ୍ଣାୟକ ଭୂମିକା ନେବା ସମ୍ଭାବନା ରହିଛି । ତେବେ କ୍ରମାଗତ ଚାରି ଚାରି ଥର ନିର୍ବାଚନ ଜିତି ନବୀନ ପଟ୍ଟନାୟକ ତାଙ୍କ ଲୋକପ୍ରିୟତା ବଜାୟ ରଖିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ବିରୋଧରେ ସମଦୂରତା ରଖୁଥିବା କହି ଆସିଛନ୍ତି ନବୀନ । ତେଣୁ ୨୦୧୯ ନିର୍ବାଚନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

ବର୍ତମାନର ସ୍ଥିତି ଯାହା, ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନବୀନଙ୍କୁ ଅନ୍ୟ ଦଳର ସହାୟତା ଆବଶ୍ୟକ ନାହିଁ । ମାତ୍ର ଦେଶରେ ବଦଳୁଥିବା ରାଜନୈତିକ ସ୍ଥିତିରେ ବିଜେଡିର ସମର୍ଥନ ନେବା ପାଇଁ ଜାତୀୟ ଦଳ ଚାହୁଁଛନ୍ତି । ବିଜେଡି ସାଂସଦ ପ୍ରସନ୍ନ ଆଚର୍ଯ୍ୟଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ କରିବାକୁ କଂଗ୍ରେସ ପ୍ରସ୍ତାବ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି କଂଗ୍ରେସ ଏପରି କରେ, ତେବେ ସ୍ପଷ୍ଟ ଭାବେ ବୁଝାପଡିବ ବିଜେଡିର ସମର୍ଥନ ଚାର୍ହୁଛି ଦଳ ।

ସେପଟେ ନବୀନଙ୍କୁ ଅସନ୍ତୁଷ୍ଟ ନକରିବାକୁ ବିଜେପିର କେନ୍ଦ୍ର ନେତୃବୃନ୍ଦ ମଧ୍ୟ ମାପିଚୁପି ଗୋଟି ଚଳାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ସଭାରେ ନବୀନଙ୍କ ନାଁ ନେଇ ତୀର୍ଯକ ସମାଲୋଚନା କରିନାହାନ୍ତି । ଅତୀତରେ ଅମିତ ଶାହା ନବୀନ ସରକାରଙ୍କୁ ହଟାଇବାକୁ ସ୍ଲୋଗାନ ଦେଇଥିବା ବେଳେ ଧୀରେ ଧୀରେ ଏପରି ସ୍ୱରକୁ ନରମ କରୁଛି ବିଜେପି । ସେହିପରି ଟିଏମସି ସୁପ୍ରିମୋ ମମତା ବାନାର୍ଜି ଓ ଟିଆରଏସ୍ ସୁପ୍ରିମୋ କେ.ଚନ୍ଦ୍ରଶେଖର ରାଓ ମଧ୍ୟ ଅଣକଂଗ୍ରେସ ଓ ଅଣବିଜେପି ମେଂଟ ପାଇଁ ନବୀନଙ୍କ ସମର୍ଥନକୁ ଅପେକ୍ଷା କରି ବସିଛନ୍ତି ।