ଦିନକ ପରେ ଆସିବ ନେତାଙ୍କ ପରୀକ୍ଷା ଫଳ ! ରମଣ ସିଂ କହିଲେ ଆରାମରେ ଜିତିବୁ, ଶାହା କହିଲେ ଭୁଲ୍ ହେବ ଏଗଜିଟ୍ ପୋଲ୍ ଆକଳନ । 

257

କନକ ବ୍ୟୁରୋ : ଦିନକ ପରେ ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । କେଉଁ ରାଜ୍ୟରେ କିଏ କରିବ ସରକାର । କେଉଁ ଦଳକୁ ମିଳିବ କେତେ ଆସନ? ଫଳାଫଳକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଯେମିତି ଟେନ୍ସନ୍, ସାଧାରଣ ଜନତାଙ୍କ ଭିତରେ ସେତିକି ଉକ୍ରଣ୍ଠା । କାରଣ ଏହି ନିର୍ବାଚନ ଫଳାଫଳ ୨୦୧୯ ସାଧାରଣ ନିର୍ବାଚନର ଦିଗ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ଆଉ ଏସବୁ ଭିତରେ ଆସିଛି ନେତାଙ୍କ ବୟାନ । ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବିଜୟ ନେଇ ଦୃଢ଼ ନିଶ୍ଚିନ୍ତ ଥିବା ବେଳେ ବସୁନ୍ଧରା ରାଜେ କହିଛନ୍ତି, ଫଳାଫଳ ପରେ ସବୁ ସ୍ପଷ୍ଟ ହୋଇଯିବ । ଆଉ ଏପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏକ୍ଜିଟ୍ ପୋଲ୍ ରିପୋର୍ଟକୁ ବେଶ ହାଲୁକା ଭାବରେ ନେଇଛନ୍ତି ।

ଏଥର ବିଜେପି ଗଡ଼ କାହାର ? କ’ଣ ହେବ ଏମପି ଓ ଛତିଶଗଡ଼ ଫଳାଫଳ ? ଏଗଜିଟ୍୍ ପୋଲର ଆକଳନ ଏବଂ ନେତାଙ୍କ ଦମ୍ଭୋକ୍ତି ଭିତରେ ଅପେକ୍ଷା ୧୧ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ରହିଛି । ଆଉ ଫଳାଫଳ ଆସିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଆସିଛି ନେତାଙ୍କ ବୟାନ୍ । ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କରର ଆକଳନ ସତ୍ୱେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂ । ରମଣ ସିଂ ଏଥର ପୁଣି କ୍ଷମତାକୁ ଫେରିବେ ବୋଲି ଦୃଢ଼ତାର ସହ ଦାବି କରିଛନ୍ତି ।

୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ, ମୋଦି ସରକାରଙ୍କ ପାଇଁ ଯେତେ ଗୁରୁତ୍ୱପୂର୍ଣ୍ଣ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପାଇଁ ସେତେ ବଡ ଚ୍ୟାଲେଂଜ୍ । ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ ରାଜ୍ୟର ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ଏକଜିଟ୍ ପୋଲର ରିପୋର୍ଟକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିବା ବିଜେପି ପାଇଁ ଏତେ ସହଜ ନୁହେଁ । କାରଣ ଏଠି ବି ଛତିଶଗଡ଼ ଭଳି କଡା ମୁକାବିଲାର ସଂଭାବନା ରହିଛି ।

ଏପଟେ ବିଜେପି ପାଇଁ ସବୁଠୁ ବଡ କଂଟା ହୋଇ ସାମ୍ନାକୁ ଆସୁଛି ରାଜସ୍ଥାନ ନିର୍ବାଚନ ଫଳାଫଳ ନେଇ ଆସିଥିବା ଏକ୍ଜିଟ୍ ପୋଲ ରିପୋର୍ଟ । ରାଜସ୍ଥାନରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ଟ୍ରେଂଡ୍ ରହିଥିବା ବେଳେ ଏକଜିଟ୍ ପୋଲର ପୂର୍ବାନୁମାନ କହୁଛି, ଏଠି ବିଜେପି ହାତରୁ ଯାଉଛି କ୍ଷମତାର ଡୋରି । କିନ୍ତୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦୃଢ଼ ନିଶ୍ଚିନ୍ତ ରାଜସ୍ଥାନରେ ପୁଣି ଶାସନ କରିବ ବିଜେପି  । ଏସବୁ ଭିତରେ କିନ୍ତୁ ଦଳର ମଙ୍ଗୁଆଳ ଅମିତ ଶାହା ନିଜସ୍ୱ ଶୈଳୀରେ ରଖିଛନ୍ତି ପ୍ରତିକ୍ର୍ରିୟା । ନେତାଙ୍କ ଏହି ବୟାନବାଜି ଭିତରେ ଆସନ୍ତା ୧୧ ତାରିଖ ସ୍ପଷ୍ଟ ହୋଇଯିବ, କାହାର ଦମ୍ଭୋକ୍ତିରେ ରହିଛି କେତେ ଦମ୍ ?