୨୦୧୯ ନିର୍ବାଚନ ପୂର୍ବରୁ ନେତାଙ୍କ ନୂଆ ଠିକଣା ଖୋଜା ! ବଦଳିପାରେ ରାଜନୈତିକ ସମୀକରଣ । 

410

କନକ ବ୍ୟୁରୋ : ଓଡିଶା ରାଜନୀତିରେ କିଛି ହେଭିୱେଟ୍ ନେତା ଏବେ କେଉଁ ଦଳକୁ ଯିବେ, ତାକୁ ନେଇ କଳ୍ପନା ଜଳ୍ପନା ଜୋର ଧରିଛି । କଂଗ୍ରେସ ବିଧାୟକ ନବ ଦାସ, ହାତ ଛାଡି ଶଙ୍ଖ ଧରିବାକୁ ପ୍ରସ୍ତୁତ ହୋଇଛନ୍ତି ବୋଲି ଶୁଣିବାକୁ ମିଳିଛି । ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେପି ଛାଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ, ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି ।

୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିର ଏମିତି କିଛି ଚେହେରାକୁ ନେଇ ଚର୍ଚ୍ଚା, ଯାହାଙ୍କ ରାଜନୈତିକ ଗତିବିଧି ହୁଏତ, ରାଜ୍ୟରେ ଏକ ନୂଆ ସମୀକରଣ ସୃଷ୍ଟି କରିପାରେ । କଂଗ୍ରେସ ବିଧାୟକ ନବ ଦାସ, ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । କୁଆଡେ ଢଳୁଛନ୍ତି ଏହି ନେତା ? କେଉଁ ନେତା କେଉଁ ଦଳକୁ ଯିବେ ?

ନବ ଦାସ । ଝାରସୁଗୁଡ଼ା ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା । ଏବେ ନବ ଦାସଙ୍କ ଦଳ ପରିବର୍ତନକୁ ନେଇ ଚାରିଆଡେ ଚର୍ଚ୍ଚା । ଏମିତି କି ସେ ଦଳ ବଦଳାଇବା ନେଇ ମଧ୍ୟ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି । ଅତୀତରେ ଗୋଟିଏ ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ନଜର ଆସିଥିବା ଏବଂ ନବୀନଙ୍କୁ ମନଭରି ପ୍ରଶଂସା କରିବା ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ପରିବାର ସହ ଆସି ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇବା ଘଟଣା ଆହୁରି ସନ୍ଦେହ ସୃଷ୍ଟି କରିଥିଲା । ଆଉ ଏହି ସନ୍ଦେହ ଏବେ ଘନିଭୂତ ହେବାରେ ଲାଗିଛି ।

ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଓଡ଼ିଶାର ଜଣାଶୁଣା ଶିଳ୍ପପତି । ବିଜେଡିରୁ ବାହାରିଯିବା ପରେ ଏବେ ନୂଆ ଠିକଣା ଖୋଜି ବୁଲୁଛନ୍ତି ବୈଜୟନ୍ତ । ସବୁ ବିକଳ୍ପ ଖୋଲା ରହିଛି ବୋଲି କହି ବୁଲୁଥିବା ବୈଜୟନ୍ତ, ବିଜେପିରେ ଯୋଗ ଦେବା ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ବୈଜୟନ୍ତ ଯୋଗାଯୋଗରେ ଥିବା ଆଲୋଚନା ହେଉଥିବା ବେଳେ ଆରଏସଏସ୍ ବୈଜୟନ୍ତଙ୍କୁ ଦଳରେ ସାମିଲ କରିବା ପାଇଁ ଗ୍ରୀନ୍ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି ।

ଆଉ ଏସବୁ ଭିତରେ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା, ବିଜୟ ମହାପାତ୍ର । ବିଜେପି ବିରୁଦ୍ଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖି ବିଜେପିକୁ ବାୟ ବାୟ କରିଥିବା ବିଜୟ ମହାପାତ୍ର, ପୁଣି ଥରେ ବିଜେଡିକୁ ଘର ବାହୁଡା କରିବେ ବୋଲି ଚର୍ଚ୍ଚା ହେଉଛି ।

ଏପଟେ ଆଇଜିଏଚ୍ ଏବଂ ବ୍ରାହ୍ମଣୀ ପୋଲକୁ ନେଇ ପଦ୍ମଦଳ ଛାଡି ଥିବା ବେଳେ ଦିଲ୍ଲୀପ ରାୟ ମଧ୍ୟ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚା ଭିତରେ ଏହି ଦୁଇ ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି  । ରାଜନୀତିରେ ଦଳ ବଦଳ କିଛି ନୂଆ କଥା ନୁହେଁ । ଆଉ ରାଜନୈତିକ ପ୍ରକ୍ରିୟା ଭିତରେ କେଉଁ ଦଳ ବା ନେତା ସବୁ ଦିନପାଇଁ ଶତ୍ରୁ ବା ମିତ୍ର ରହିବ, ତାହା ଚିନ୍ତା କରିବା ବି ମୁସ୍କିଲ । ତେଣୁ ଆଗକୁ କ’ଣ ହେବ ତାହା ସମୟ ହିଁ କହିବ । ଆଉ ଏହି ପରିବର୍ତନ ଓଡ଼ିଶା ରାଜନୀତିରେ କିଛି ନୂଆ ସମୀକରଣ ସୃଷ୍ଟି କରିବ କି, ତାହା ହିଁ ବଡ ପ୍ରଶ୍ନ ।