୨୦୧୯ରେ ସରକାର ଗଢ଼ିବ ବିଜେଡି ! ପୂର୍ବାନୁମାନ କଲେ କଂଗ୍ରେସ ବିଧାୟକ ।

34

ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ବିଜେଡିକୁ ଦେଇଛନ୍ତି ଏ+ ସାର୍ଯିଫିକେଟ । ବିଜେଡିକୁ ପ୍ରଶଂସା କରି ପ୍ରକାଶ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସ୍ଥିତି ଦୃଢ଼ ରହିଛି । ଯାହାକି ଆଗାମୀ ୨୦୧୯ରେ ପୁଣି କ୍ଷମତାକୁ ଆସିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ।

କେବଳ ଏତିକି ନୁହେଁ ଆସନ୍ତା ଜୁଲାଇ ୧ ତାରିଖ ଦିନ ମିଶନ ୧୨୦ ଲକ୍ଷ୍ୟ ନେଇ ଓଡିଶା ଗସ୍ତରେ ଆସୁଥିବା ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ମଧ୍ୟ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ । ସେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅମିତ ଶାହ ଓଡିଶା ଗସ୍ତରେ ଆସିଛନ୍ତି କିନ୍ତୁ କେବେ ଏହାର ପ୍ରଭାବ ପଡି ନାହିଁ କି ଆଗକୁ ମଧ୍ୟ ପଡିବ ନାହିଁ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପ୍ରକାଶ । ବିଜେଡିର ଯେଉଁ ସ୍ଥିତି ରହିଛି ସେ ହିଁ ସରକାର ଗଢ଼ିବେ । ଓଡିଶାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଲଢ଼େଇ ହେବ । ବିଜେପି ଏଥର ତୃତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ।

ତେବେ ଖୋଲାଖୋଲି ବିଜେଡିକୁ ପ୍ରଶଂସା କରି କଂଗ୍ରେସ ବିଧାୟକ ବିଜେଡିରେ ଯୋଗଦେବା ପାଇଁ ମନ ବଳାଇଲେଣିକି ? ନାଁ ନବୀନଙ୍କ ଦୃଷ୍ଟି ଗୋଚରକୁ ଆସିବା ପାଇଁ ଏଭଳି ବୟାନ ଦେଉଛନ୍ତି କି? ନାଁ ୨୦୧୯ ପୂର୍ବରୁ କଂଗ୍ରେସ ଦଳର ସ୍ଥିତିକୁ ଆତ୍ମ ସମୀକ୍ଷା କରିସାରିଲେଣି କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବୋଲି ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି । ତେବେ ବିଜେଡିରେ ଯୋଗ ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିଜେଡିରେ ମିଶିବା ସତ କିମ୍ବା ମିଛ ବି ହୋଇପାରେ ବୋଲି କହିଛନ୍ତି ପ୍ରକାଶ ବେହେରା ।