ମିଳିଲା ୨୦୦୦ ବର୍ଷ ତଳର ମଦ : କେଉଁଠୁ ଆଉ କେମିତି ମିଳିଲା ଜାଣନ୍ତୁ

56

ପଡୋଶୀ ଦେଶ ଚୀନର ପଶ୍ଚିମାଞ୍ଚଳରେ ୨୦୦୦ ବର୍ଷ ତଳର ଏକ ମଦବୋତଲକୁ ସେଠାକାର ପ୍ରତ୍ନତତ୍ତ୍ୱବିତମାନେ ଖୋଜି ବାହାର କରିଛନ୍ତି । ସାନକ୍ସି  ଅଂଚଳର ପ୍ରତ୍ନତତ୍ତ୍ୱବିତମାନେ କ୍ୱିନ ଡିନାଷ୍ଟି ଟମ୍ବ ନାମକ ଏକ ସ୍ଥାନରୁ ଏହି ମଦ ବୋତଲକୁ ଖୋଜି ବାହାର କରିଛନ୍ତି । ଖ୍ରୀଷ୍ଟପୂର୍ବ ୨୨୧ ରୁ ୨୦୭ ମଧ୍ୟରେ ଏହି ସ୍ଥାନ ନିର୍ମାଣ ହୋଇଥିବା ଅନୁମାନ କରାଯାଏ । ଏହି ମଦ ବୋତଲର ଉପରିଭାଗରେ କାଂସ୍ୟର ଆବରଣ ରହିଛି ।

ଜୁ ୱିହାଙ୍ଗ ନାମକ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ କହିବାନୁସାରେ ୩୦୦ ମି.ଲିର ମଦ ଏହି କାଂସ୍ୟ ବୋତଲରେ ଅଛି । ଏହି ମଦର ରଙ୍ଗ ଇଷତ୍ ଧଳା ରଙ୍ଗର ହୋଇଥିବାରୁ ଏହାକୁ ଫରମେନ୍ଟେସନ୍ (କିଣ୍ୱନ) ପଦ୍ଧତି ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଅନୁମାନ କରାଯାଉଛି ।

କେବଳ ମଦ ନୁହଁ ଏହି ସ୍ଥାନରେ ୬୦ ସେଣ୍ଟିମିଟରର ଏକ ଖଣ୍ଡାକୁ ମଧ୍ୟ ପ୍ରତ୍ନତତ୍ତ୍ୱବିତମାନେ ଖୋଜି ବାହାର କରିଛନ୍ତି, ଯାହାକି ଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବାର ଅନୁମାନ କରାଯାଉଛି । ଏକ ୧୪ ସେଣ୍ଟିମିଟରର କଇଁଛ ସେଲ ମଧ୍ୟ ଏଠାରୁ ମିଳିଛି, ଯାହାକି ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଅନୁମାନ ହେଉଛି ।

ଗବେଷକମାନେ ଚୀନର ପ୍ରାଚୀନ ସାମ୍ରାଜ୍ୟରେ ଜୀବନର ରୂପରେଖକୁ ଖୋଜି ବାହାର କରିବା ପାଇଁ ଏବେ ଲାଗିପଡିଛନ୍ତି ।