ରମଣ ସିଂହଙ୍କ ରାଜ୍ୟରେ ୨୦୦ ଗାଈଙ୍କ ଅନାହାର ମୃତ୍ୟୁ

28

କନକ ବ୍ୟୁରୋ: ଗୋଶାଳାରେ ଶତାଧିକ ଗାଇଙ୍କ ମୃତ୍ୟୁ । ଏଭଳି ଅଘଟଣ ଘଟିଛି ରମଣ ସିଂହଙ୍କ ରାଜ୍ୟରେ । ଛତିଶଗଡ଼ର ଦୁର୍ଗ ଜିଲ୍ଲାସ୍ଥିତ ରାଜପୁର ଗ୍ରାମରେ ଥିବା ଏକ ଗୋଶାଳାରେ ୨୦୦ ଗାଈଙ୍କର ଅନାହାର ମୃତ୍ୟୁ ଘଟିଛି । ପୁଲିସ ଏହାର ତଦନ୍ତ କରି ଗୋଶାଳାର ପରିଚାଳକ ବିଜେପି ନେତା ହରିଶ ବର୍ମାଙ୍କୁ ଗିରଫ କରିଛି । ଗତ ତିନିଦିନ ମଧ୍ୟରେ ଏହି ଗାଈମାନେ ଅନାହାର ଏବଂ ଔଷଧ ଅଭାବରୁ ପ୍ରାଣ ହରାଇଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

ଗୋଶାଳା ଦାୟିତ୍ୱରେ ଥିବା ଜାମୁଲ ନଗର ନିଗମ ଉପାଧ୍ୟକ୍ଷ ହରିଶ ବର୍ମା କାନ୍ଥ ଭାଙ୍ଗି ପଡ଼ିବାରୁ କିଛି ଗାଈଙ୍କର ମୃତ୍ୟୁ ହୋଇଛି ବୋଲି ସଫେଇ ଦେଇଥିଲେ ମଧ୍ୟ ଖାଦ୍ୟାଭାବ ଏବଂ ଔଷଧ ଅଭାବରୁ ଗାଈମାନେ ମରିଥିବା ପ୍ରାଣୀ ଚିକିତ୍ସକମାନେ କହିଥିଲେ । ମଲା ଗାଈ ଗୁଡିକୁ ପୋତିବାପାଇଁ ଦୁଇଦିନ ତଳେ ଗୋଶାଳାରେ ଜେସିବି ମେସିନ୍ ଦ୍ୱାରା ବଡ଼ ଆକାରର ଗାତ ଖୋଳା ଯାଉଥିବା ଦେଖି ଗ୍ରାମବାସୀମାନେ ଗଣମାଧ୍ୟମରେ ଖବର ଦେଇଥିଲେ ।

ତେବେ ସାମ୍ବାଦିକମାନେ ସେଠାକୁ ଆସି ଗାଈଙ୍କ ମୃତ୍ୟୁନେଇ ଛାନଭିନ କରିଥିଲେ । ଗୋଶାଳାରେ ୨୨୦ ଗାଈଙ୍କ ପାଇଁ ସ୍ଥାନ ଥିବାବେଳେ ୬୫୦ ଗାଈ ରହିଥିବାରୁ ସେମାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇ ପାରୁନାହାନ୍ତି ଓ ଏନେଇ ପୂର୍ବରୁ ସେ ବହୁ ଥର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ବର୍ମା କହିଛନ୍ତି ।