ମୋଦିଙ୍କ ମନ୍ତ୍ରୀଙ୍କୁ ‘ମି ଠୁ’ ଅଡୁଆ! ପ୍ରିୟା ରମାନୀଙ୍କୁ ସମର୍ଥନ କରି ଏମ.ଜେ ଆକବରଙ୍କ ବିରୋଧରେ ବାହାରିଲେ ୨୦ ମହିଳା ସାମ୍ବାଦିକା, ମନ୍ତ୍ରୀପଦରୁ ହଟାଇବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି

51

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ବଢିଲା ଅଡୁଆ । ମି ଠୁ କ୍ୟାମ୍ପେନକୁ ୨୦ ଜଣ ମହିଳା ସାମ୍ବାଦିକା ସମର୍ଥନ କରିଛନ୍ତି । ଆକବରଙ୍କ ବିରୋଧରେ ପ୍ରିୟା ରମାନୀ ନିର୍ଯାତନା ଅଭିଯୋଗ ଆଣିଥିଲେ । ଆଉ ଏହାକୁ ସମର୍ଥନ କରିଛନ୍ତି ସାମ୍ବାଦିକା । ୧୯୯୪ରେ ଇଂରାଜୀ ଦୈନିକ ଏସିଆନ ଏଜର ଖବରକାଗଜ ଆରମ୍ଭ ବେଳେ ଏହି ସାମ୍ବାଦିକା ସଂପୃକ୍ତ ଟିମରେ ଥିଲେ । ଏହି ସମୟରେ ଏମ.ଜେ.ଆକବର ପତ୍ରିକାରେ ସମ୍ପାଦକ ଥିଲେ । ଏ ନେଇ କୋର୍ଟରେ ସେମାନେ ପକ୍ଷ ରଖିବେ ବୋଲି ବି କହିଛନ୍ତି ।

ପ୍ରିୟା ରମାନୀକୁ ସମର୍ଥନ କରି ଏହି ମହିଳା ସାମ୍ବାଦିକମାନେ ଏକ ମିଳିତ ବିବୃତି ବି ଜାରି କରିଛନ୍ତି । ମିଳିତ ବିବୃତିରେ କୁହାଯାଇଛି, ଆକବର କିଛି ଜଣକୁ ଯୌନ ନିର୍ଯାତନା ବି ଦେଇଛନ୍ତି । ରମାନୀ ଏହି ଲଢେଇରେ ଏକାକୀ ନାହାନ୍ତି । ତେଣୁ ସେମାନଙ୍କ ସାକ୍ଷ୍ୟ ଉପରେ କୋର୍ଟ ବିଚାର କରନ୍ତୁ । ଏହା ପରେ ଆକବରଙ୍କ ସମସ୍ୟା ଆହୁରି ବଢିଯାଇଛି ।

ମହିଳା ସାମ୍ବାଦିକ ମାନେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରୁ ଏମ.ଜେ ଆକବରଙ୍କୁ ହଟାଇବାକୁ ଦାବି କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି । ନେଟୱାର୍କ ଅଫ୍ ୱିମେନ ଇନ ମିଡିଆ ଇନ ଇଣ୍ଡିଆର ସଦସ୍ୟ ମାନେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଆମେ ଚିନ୍ତିତ ଯେ, କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରେ ଏବେ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ରହିଛନ୍ତି ଏମ.ଜେ ଆକବର । ଏହା ସମ୍ପୂର୍ଣ୍ଣ ଭାବେ ଅନୈତିକ ଓ ଅନୁଚିତ । ଏହାଦ୍ୱାରା ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ମି ଠୁ କ୍ୟାମ୍ପେନ ଅନ୍ତର୍ଗତ ଆକବରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିିଥିଲେ ମହିଳା ସାମ୍ବାଦିକା ପ୍ରିୟା ରମାଣୀ । ପ୍ରିୟାଙ୍କ ନାଁରେ ଦିଲ୍ଲୀର ପଟିଆଲ ହାଉସ କୋର୍ଟରେ ଆକବର ମାନହାନି ମୋକଦ୍ଦମା ବି କରିଥିଲେ । ଏହାପରେ ତୁଷିତା ନାମ୍ନୀ ଆଉ ଜଣେ ମହିଳା ସାମ୍ବାଦିକା ବି ଆକବରଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଏହା ୧୧ ଜଣ ଅନ୍ୟ ସାମ୍ବାଦିକ ବି ଏଭଳି ଅଭିଯୋଗ ଆଣି ଆକବରଙ୍କ ମୁସ୍କିଲକୁ ବଢାଇଦେଇଛନ୍ତି ।