ରାଜଧାନୀରେ ପୁଣି କାୟା ବିସ୍ତାର କଲାଣି ଡେଙ୍ଗୁ : ୫ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଟପିଲା

70

କନକ ବ୍ୟୁରୋ : ରାଜଧାନୀରେ ପୁଣି କାୟା ବିସ୍ତାର କଲାଣି ଡେଙ୍ଗୁ । ବିଏମ୍‌ସିର ୧୬ ଓ ୧୩ ନମ୍ବର ଓ୍ଵାର୍ଡରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଡେଉଁଛି ଡେଙ୍ଗୁ । ତଥାପି ପ୍ରଶାସନର ନିଦ ଭାଙ୍ଗୁନି । ଦୁଇ ସପ୍ତାହ ତଳେ ଏନେଇ ଲୋକଙ୍କୁ ସଚେତନ କରିବାକୁ ଯୋଜନା ହୋଇଥିବା ମଧ୍ୟ ଏବେ କିନ୍ତୁ ଠପ୍‌ ହୋଇଯାଇଛି । ସବୁ ଅଞ୍ଚଳରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହୁଛି । ଡେଙ୍ଗୁ ସଚେତନତା ମଧ୍ୟ ଆଗକୁ ବଢ଼ିପାରୁନି । ଗତ ୫ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଟପିଯାଇଥିବା ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ୭ ଜଣ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ଘରୋଇ ମେଡିକାଲରେ ମଧ୍ୟ କେତେଜଣ ଭର୍ତ୍ତି ହୋଇଛନ୍ତି । ବିଡିଏ କଲୋନି ସମେତ ସାଲିଆସାହି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସଂସ୍ଥା ସହାୟତାରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା ।

dengue
image courtesy-https://www.telegraphindia.com

ଡେଙ୍ଗୁରୁ କିଭଳି ରକ୍ଷା ମିଳିବ ସେ ସମ୍ପର୍କରେ ଲୋକଙ୍କୁ ଦିନେ କି ଦୁଇ ଦିନ ସଚେତନ କରାଯାଇଥିଲା । ହେଲେ ଗତ କିଛି ଦିନ ହେଲା ଆଉ ଡେଙ୍ଗୁ ସଚେତନତା ଗାଡ଼ି ଦେଖିବାକୁ ମିଳୁ ନ ଥିବା ଲୋକେ କହିଛନ୍ତି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଡେଙ୍ଗୁ ବ୍ୟାପିବା ପାଇଁ ବିଏମ୍‌ସି ଗାତ ଖୋଳିଦେଇଛି । ସବୁଠି ଆବର୍ଜନା ଜମା ହୋଇ ରହିଛି । ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି । ୫ ଦିନ ହେଲା ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଲଗାଣ ବର୍ଷା ବେଳେ ଅଳିଆ ଉଠୁ ନ ଥିଲା । ଯେଉଁଥିପାଇଁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଯଦି ଏଦିଗରେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଆଲୋଚନା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଥିବା ବିଡିଏ ନୀଳମାଧବ ବସ୍ତିର ସୁଶୀଲ କୁମାର ଦାସଙ୍କ କହିବାନୁଯାୟୀ ଜ୍ୱର ନ କମିବାରୁ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ହୋଇଥିବା ଜଣାପଡ଼ିଲା। ଦୁଇ ଦିନ ହେଲା କ୍ୟାପିଟାଲ ହସ୍ପିଟାଲରେ ପଡ଼ିଛି । ବିଏମ୍‌ସିର ୧୩ ନମ୍ବର ଓ୍ଵାର୍ଡରେ ଆସୁଥିବା ଏହି ଅଞ୍ଚଳରେ ଥରେ କି ଦୁଇ ଥର ସଚେତନତା ଗାଡ଼ି ବୁଲିଛି ।

ଠିକ୍‌ ଭାବେ ସଫେଇ ହୋଇ ନ ଥିବାରୁ ଏଭଳି ସମସ୍ୟା ହୋଇଛି। ଚିକିତ୍ସାଧୀନ ଥିବା ବିଡିଏ କଲୋନି ପାଣିଟାଙ୍କି ନିକଟ ବସ୍ତିର ଦୀପ୍ତିମୟୀ ଆଚାର୍ଯ୍ୟଙ୍କ ସ୍ୱାମୀ ସରୋଜ ନାଥ କୁହନ୍ତି ଗତ ଶୁକ୍ରବାର ପତ୍ନୀଙ୍କୁ ଜ୍ୱର ହୋଇଥିଲା । ତାଙ୍କ ରକ୍ତ ପରୀକ୍ଷା ପରେ ଡେଙ୍ଗୁ ପଜିଟିଭି ଆସିଥିଲା । ଏବେ ସୁସ୍ଥ ଅଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏହି ଅଞ୍ଚଳର ୭ ଜଣ ଚିକିତ୍ସା ହେଉଛନ୍ତି । ସାଲିଆସାହି ବାଜପେୟୀ ନଗରର କାଳିଆ ବେହେରା କୁହନ୍ତି ସାରା ଅଞ୍ଚଳ ଅପରିଷ୍କାର ରହିଛି । ବିଏମ୍‌ସି ଏଦିଗରେ ପଦକ୍ଷେପ ନେଉନି। ସଫେଇ କରାଯାଉନି। ଯାହାବି ହେଉଛି କେବଳ ରାସ୍ତାପାର୍ଶ୍ୱରେ ଲୋକ ଦେଖାଣିଆ । ଏହି ଅଞ୍ଚଳର ପ୍ରାୟ ୨୦ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।