ରାଜ୍ୟରେ ହେବ ୨୦ଟି ହସ୍ପିଟାଲ! ୨୭୦୦ ଶଯ୍ୟା ସହ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ନବୀନ ସରକାରଙ୍କ ବଡ ଘୋଷଣା ।

78

କନକ ବ୍ୟୁରୋ: ରାଜ୍ୟରେ ନିର୍ମାଣ ହେବ ଆଉ ୨୦ଟି ହସ୍ପିଟାଲ । ଘରୋଇ ଓ ସରକାରୀ ଭାଗୀଦାରିରେ ହସ୍ପିଟାଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି । ତେବେ ନିର୍ମାଣ ହେବାକୁଥିବା ଏହି ୨୦ ଟି ହସ୍ପିଟାଲରେ ୨୭୦୦ଟି ଶଯ୍ୟା ଉପଲବ୍ଧ ହେବାସହ ୧୦ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପୁଞ୍ଜି ବିନିଯୋଗ ନୀତି-୨୧୦୬ ଅନୁଯାୟୀ ରାଜ୍ୟର ୧୧ଟି ଉଚ୍ଚ ପ୍ରାଥମିକତା ଥିବା ଜିଲ୍ଲାକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ସ୍ୱାସ୍ଥ୍ୟସେବା ପାଇଁ ଘରୋଇ ଓ ସରକାରୀ ଭାଗୀଦାରୀ କ୍ଷେତ୍ରରେ ଏହା ଦେଶର ସବୁଠାରୁ ବଡ ପିଞ୍ଜି ବିନିଯୋଗ ହେବ ବୋଲି ସୁଚନା ମିଳିଛି । ତେବେ ଏହି ସମସ୍ତ ହସ୍ପିଟାଲକୁ ଆର୍ଫୋଟେବୁଲ ହେଲ୍ଥ କେୟାର ପ୍ରୋଜେକ୍ଟ ମାଧ୍ୟମରେ ହବ୍ ଓ ସ୍ପୋକ ମଡେଲ ଡାକ୍ତରଖାନା ପ୍ରସ୍ତୁତ କରାଯିବ । କେତେକ ଡାକ୍ତରଖ।।ନା କେନ୍ଦ୍ରୀୟ ହବ୍ ଭଳି କାର୍ଯ୍ୟ କରିବାବେଳେ ଆଉ କେତେକ ଶାଖା ଡାକ୍ତରଖାନା ସ୍କୋକ ଭଳି କାର୍ଯ୍ୟ କରିବ ।

କେଉଁ କେଉଁ ସ୍ଥାନରେ ହେବ ହସ୍ପିଟାଲ

ନୀତି ଆୟୋଗ ରିପୋର୍ଟ ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତେବେ ଏହି ୨୦ଟି ଡାକ୍ତରଖାନା ରାଜ୍ୟର ପୁରୀ, ଜୟପୁର, ଅନୁଗୁଳ, ବଡବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡା, କଳାହାଣ୍ଡି, ଫୁଲବାଣୀ, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡା, ମାଲକାନଗିରୀ, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡା ଆଦି ସ୍ଥାନରେ ନିର୍ମାଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ବିଶେଷ କରି ଷ୍ପୋକ ହସ୍ପିଟାଲ ହେବା ଦ୍ୱାରା ଶଲ୍ୟ, ଭେଷଜ, ଚକ୍ଷୁ, ଶିଶୁ ରୋଗ, ଅସ୍ଥିଶଲ୍ୟ ଭଳି ଅନେକ ଗୁରୁତର ରୋଗୀଙ୍କ ଚିକିତ୍ସା ହେବାସହ ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ରହିବ । ଅନ୍ୟପଟେ ହବ୍ ହସ୍ପିଟାଲରେ ଷ୍ପୋକ ହସ୍ପିଟାଲର ସମସ୍ତ ରୋଗର ଚିକିତ୍ସା ହେବା ସହ ହୃଦରୋଗ ଏବଂ ସ୍ନାୟୁ ଶଲ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହାସହ ଏହି ସମସ୍ତ ହସ୍ପିଟାଲରେ ୨୭୦୦ ଶଯ୍ୟା ଉପଲବ୍ଧ ହେବ । ଯାହାଦ୍ୱାରା ହସ୍ପିଟାଲରେ ଶଯ୍ୟା ଜନିତ ଅଭାବ ୫୬ ପ୍ରତିଶତ ପୂରଣ ହୋଇପାରିବ । ଘରୋଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାରଙ୍କ ନିଷ୍ପତି । ପାରା-ମେଡିକାଲ କ୍ଷେତ୍ରରେ ଏହି ସବୁ ନିଯୁକ୍ତି ଗୁଡିକ ଅଧିକ ସଂଖ୍ୟାରେ ସୃଷ୍ଟି ହେବ ।