ଦିଲ୍ଲୀ ହାଇକୋର୍ଟରେ ଆଜି ଆମ ଆଦମି ପାର୍ଟି ଆବେଦନର ଶୁଣାଣି ! ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଫଇସଲା କରିପାରନ୍ତି କୋର୍ଟ

35

କନକ ବ୍ୟୁରୋ : ଆମ ଆଦମି ପାର୍ଟିର ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଦିଲ୍ଲୀ ହାଇକୋର୍ଟରେ ଆଜି ଶୁଣାଣି । ଆପ ପକ୍ଷରୁ ହୋଇଥିବା ଆବେଦନକୁ ଆଜି ଶୁଣାଣି ପାଇଁ ସ୍ଥାନିତ କରିଛନ୍ତି କୋର୍ଟ । ବଡକଥା ହେଉଛି ଏହି ୨୦ ବିଧାୟକଙ୍କୁ ନିର୍ବାଚନ କମିଶନ ଅଯୋଗ୍ୟ ଘୋଷଣା କରିଥିବା ବେଳେ ସୁପାରିଶରେ ମୋହର ମାରିସାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ନିର୍ବାଚନ କମିଶନଙ୍କ ଏହି ନିଷ୍ପତିକୁ ଅବୈଧ କରିବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିଲ୍ଲୀ ଆପ ସରକାର । ତେବେ ପୂର୍ବରୁ ଏହା ଉପରେ ଅନ୍ତରୀଣ ରହିତାଦେଶ ପାଇଁ ମନା କରିଦେଇଥିଲେ କୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଆପ ସପକ୍ଷରେ ନଆସିଲେ ପୁଣି ସୁପ୍ରିମକୋର୍ଟ ଯାଇପାରନ୍ତି କେଜ୍ରିୱାଲ ସରକାର । ସେପଟେ ୨୦ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ଏସବୁ ଆସନରେ ଉପନିର୍ବାଚନ ହେବ । ଏବଂ ଦିଲ୍ଲୀରେ ମାତ୍ର ବର୍ଷକର ସରକାର ପୁଣି ଏକ ବଡ ପ୍ରତିଦ୍ୱନ୍ଦିତାର ସାମ୍ନା କରିବାକୁ ପ୍ରସ୍ତୁତ ହେବେ । ଯାହା କେଜ୍ରିୱାଲ ସରକାରଙ୍କ ପ୍ରଦର୍ଶନର ପରୀକ୍ଷା ହେବ ବୋଲି କୁହାଯାଉଛି । ତେବେ ଏହାକୁ ବିଜେପିର ଚାଲ କହି ନ୍ୟାୟିକ ଲଢେଇ ପାଇଁ କେଜ୍ରିୱାଲ ସରକାର ପ୍ରସ୍ତୁତ ହେଉଥିବାବେଳେ ବିଜେପି ଓ କଂଗ୍ରେସ ନିର୍ବାଚନୀ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏହି ୨୦ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ କେଜ୍ରିଓ୍ଵାଲଙ୍କ ଆପ୍ ସରକାର ପାଇଁ ତୁରନ୍ତ କୌଣସି ବଡ଼ ବିପଦ ନଥିଲେ ହେଁ ଏହା ଦଳର ସଂକଟ ବଢ଼ାଇଦେଇଛି । ଏହା ଫଳରେ ଦିଲ୍ଲୀ ବିଧାନସଭାରେ ଆପ୍ ସଦସ୍ୟ ସଂଖ୍ୟା ୪୨କୁ ଖସି ଆସିଛି । ୩ ବର୍ଷ ତଳେ ହୋଇଥିବା ନିର୍ବାଚନରେ ବିଧାନସଭାର ମୋଟ ୭୦ ଆସନରୁ ଆପ୍ ୬୭ ଆସନ ଦଖଲ କରି ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ୨୦୧୫ରେ ଦଳ ଅସୀମ ଅହମ୍ମଦ ଖାନଙ୍କୁ ନିଲମ୍ବନ କରିଥିଲା । ପରବର୍ତ୍ତୀ ସମୟରେ ଆଉ ଜଣେ ବିଧାୟକ ପଙ୍କଜ ପୁଷ୍କର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ବିରୋଧରେ ବିଦ୍ରୋହ କରି ଦଳରୁ ନିଲମ୍ବିତ ହୋଇଥିଲେ । ୨୦୧୬ରେ ଆଉ ଜଣେ ମନ୍ତ୍ରୀ ସନ୍ଦୀପ କୁମାର ସେକ୍ସ ସ୍କାଣ୍ଡାଲ ମାମଲାରେ ବହିଷ୍କୃତ ହୋଇଥିଲେ । ଏହାପରେ ମନ୍ତ୍ରୀ କପିଳ ମିଶ୍ରା ଦଳ ବିରୋଧୀ କାର୍ୟ୍ୟ କରି ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ୨୦୧୭ରେ ବିଧାୟକ ଜର୍ଣ୍ଣାଲି ସିଂହ ପଂଜାବରେ ନିର୍ବାଚନ ଲଢ଼ିବା ପାଇଁ ଇସ୍ତଫା ଦେଇଥିଲେ ଏବଂ ଉପ ନିର୍ବାଚନରେ ଏହି ଆସନ ଆପ୍ ବଜାୟ ରଖିପାରି ନଥିଲା । ଏଭଳି ସ୍ଥିତିରେ ଆଉ ୨୦ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଆପ୍ର ଶକ୍ତି ୪୨କୁ ଖସିଆସିଛି ।