ବୟସ ମାତ୍ର ୨ ବର୍ଷ, କିନ୍ତୁ ପ୍ରତିଦିନ ଦରକାର ୪୦ଟି ସିଗାରେଟ । ମନାକଲେ ଦେଖାଉଛି ନାଲିଆଖି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

27

ଇଣ୍ଡୋନେସିଆରେ ଏବେ ଜଣେ ଦୁଇ ବର୍ଷର ଶିଶୁକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏପରିକି ଶିଶୁଟିର ଅଜବ ଅଭ୍ୟାସ ଦେଖି ଲୋକମାନେ ମଧ୍ୟ ତାଜୁବ । କାରଣ ଏହି ଦୁଇ ବର୍ଷର ପିଲାଟିର ସିଗାରେଟ ନ ହେଲେ ଦିନ ବିତୁନାହିଁ । ଏପରିକି ପ୍ରତିଦିନ ଏହି ୨ ବର୍ଷର ଶିଶୁ ପାଖାପାଖି ୪୦ଟି ସିଗାରେଟ ଟାଣି ଦେଉଛି । ଆଉ ଏହାରୀ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ୨ ବର୍ଷର ଛୁଆଟି ବାଇକ ଉପରେ ବସି ସିଗାରେଟ ଟାଣୁଥିବାର ଦେଖିବାକୁ ମିଳିଛି । ଏପରିକି ପାଖରେ ଛୁଆଟିର ମା’ ବାପା ମଧ୍ୟ ଉପସ୍ଥିତ ଅଛନ୍ତି । କିନ୍ତୁ ଶିଶୁଟିର ସେଥିପ୍ରତି ପରବାଏ ନାହିଁ ।

ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିଗାରେଟ ନିଶାରେ ପଡିଥିବା ଏହି ଛୁଆଟିର ନାଁ ରାପି । ରାସ୍ତା କଡରେ ରାପିର ମା’ ଏକ ଛୋଟ ଦୋକାନ କରିଥିଲେ । ତେଣୁ ଅଧିକାଂଶ ସମୟରେ ରାପିକୁ ସେହି ଦୋକାନରେ ଦେଖିବାକୁ ମିଳୁଥିଲା । ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ସିଗାରେଟ ଟାଣିବା ପରେ ଫୋପାଡି ଦେଉଥିଲେ । କିଛି ଦିନ ରାପି ଏହା ଦେଖିବା ପରେ ଅଧା ଟଣା ହୋଇଥିବା ସିଗାରେଟ ରାସ୍ତାରୁ ଗୋଟାଇବା ସହ ଏହାକୁ ଟାଣିବା ଆରମ୍ଭ କରିଥିଲା । ପ୍ରଥମରୁ ରାପିର ବାପା ଓ ମା’ ଭାବୁଥିଲେ ଲିଭିଯାଇଥିବା ସିଗାରେଟ ସହ ତାଙ୍କ ପୁଅ ଖେଳୁଛି । କିନ୍ତୁ ଧୀରେ ଧୀରେ ଏହାକୁ ଅଭ୍ୟାସରେ ପରିଣତ କରିଥିଲା ରାପି । ସିଗାରେଟ ନିଶା ରାପିକୁ ଏବେ ଏଭଳି ଭାବେ ପାଗଳ କରିଛି ଯେ, ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ସିଗାରେଟ ମାଗିବାକୁ ପଛାଉନାହିଁ ରାପି । ତେବେ ସବୁଠୁ ଆଶ୍ଚଯ୍ୟ କଥା ହେଉଛି, ରାପିର ବାପା ଓ ମା’ ଏହାକୁ ଦେଖୁଥିଲେ ମଧ୍ୟ ଏହାକୁ ରୋକୁ ନାହାନ୍ତି ।

୨ ବର୍ଷର ଶିଶୁ ସିଗାରେଟ ଟାଣିବାର ଭିଡିଓ ଭାଇରାଲ ହେବା ପରେ ରାପିର ବାପା ଓ ମା’ଙ୍କୁ ନେଇ ସୋସିଆଲ ମିଡିଆରେ ଜୋର ଧରିଥିଲା ଆଲୋଚନା । ତେବେ ସୋସିଆଲ ମିଡିଆରେ ଲୋକଙ୍କ ପ୍ରତକ୍ରିୟା ଶୁଣିବା ପରେ ରାପିର ବାପା ଓ ମା’ କହିଛନ୍ତି ଖୁବଶୀଘ୍ର ସେ ରାପିକୁ ଡାକ୍ତରଙ୍କୁ ଦେଖାଇବା ସହ ସିଗାରେଟ ଟାଣିବା ଅଭ୍ୟାସ ଛଡାଇବାକୁ ପ୍ରୟାସ କରିବେ । ରାପିର ବାପା ଓ ମା’ଙ୍କ କହିବା ଅନୁଯାୟୀ, ଯଦି ପ୍ରତିଦିନ ରାପିକୁ ସିଗାରେଟ ଟାଣିବାକୁ ମିଳେ ନାହିଁ ତେବେ ଝଟଡା କରିଥାଏ । ଏପରିକି ସିଗାରେଟ ନ ମିଳିଲେ କାନ୍ଦିଥାଏ ଯଦି କେହି ଏଥିରୁ ତାକୁ ବାରଣ କରିଥାଏ ତେବେ ନାଲିଆଖି ଦେଖାଇବାକୁ ପଛାଇ ନଥାଏ ରାପି । ତେଣୁ ବାଧ୍ୟ ହୋଇ ରାପିକୁ ସିଗାରେଟ ଦେବାକୁ ପଡିଥାଏ ।

ସୂଚନା ଅନୁଯୟେୀ, ଇଣ୍ଡୋନେସିଆ ବିଶ୍ୱର ଏଭଳି ଦେଶ ମାନଙ୍କର ତାଲିକାରେ ରହିଛି ଯେଉଁଠାରେ ଲୋକମାନେ ସର୍ବାଧିକ ସିଗାରେଟ ଟାଣିଥାନ୍ତି । ଏପରିକି ଏକ ସର୍ଭେ ଅନୁଯାୟୀ, ଇଣ୍ଡୋନେସିଆର ୧୮ ବର୍ଷରୁ କମ ବୟସର ୯ ପ୍ରତିଶତ ଶିଶୁ ସିଗାରେଟ ଟାଣିବାରେ ଅଭ୍ୟସ୍ତ । ଯାହା ପୂରା ଦେଶକୁ ଚିନ୍ତାରେ ପକାଇଛି ।