କଂଗ୍ରେସର ‘ଭାରତ ବନ୍ଦ’ ପାଇଁ ଚାଲିଗଲା ମୋ ଝିଅର ଜୀବନ । ତେଲ ରାଜନୀତିରେ ବଳି ପଡିଗଲା କୋମଳମତି ଶିଶୁ

75

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । କେବଳ କଂଗ୍ରେସ ନୁହେଁ ଏହି ବନ୍ଦକୁ ଅନ୍ୟ ୨୧ଟି ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି । ତେବେ ଏହି ବନ୍ଦ ସମୟରେ ଦେଶର ଅଧିକାଂଶ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଗାଡି ଭଙ୍ଗାରୁଜା କରୁଥିବାର ଘଟଣା ସାମ୍ନାକୁ ଆସିଛି । ତେବେ କଂଗ୍ରେସର ଏହି ଭାରତ ବନ୍ଦ ଯୋଗୁଁ ଜଣେ ଦୁଇ ବର୍ଷର ଝିଅର ଜୀବନ ଚାଲି ଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି ।

ବିହାରର ଜହନାବାଦରେ କଂଗ୍ରେସର ଭାରତ ବନ୍ଦ ପାଇଁ ୨ ବର୍ଷର ଝିଅର ଜୀବନ ଚାଲିଯାଇଛି । ଝିଅଟିର ବାପାଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ଦିନ ହେଲା ତାଙ୍କ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ତେବେ ସୋମବାର ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ବାହାରିଥିଲେ ମଧ୍ୟ ଭାରତ ବନ୍ଦ ପାଇଁ ତାଙ୍କୁ କୌଣସି ଗାଡି ମିଳିନଥିଲା । ଫଳରେ ଚିକିତ୍ସା ଅଭାବରୁ ଅକାଳରେ ଝିଅଟିର ଜୀବନ ଚାଲି ଯାଇଥିଲା । ତେବେ ଜହାନାବାଦର ଏସଡିଓ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଭାରତ ବନ୍ଦ ପାଇଁ ଛୁଆ ଝିଅଟିର ଜୀବନ ଯାଇନାହିଁ ବରଂ ପରିବାର ଲୋକଙ୍କ ଅବହେଳା ପାଇଁ ଶିଶୁଟିର ଜୀବନ ଚାଲି ଯାଇଛି । କାରଣ ଦୁଇ ଦିନ ପୂର୍ବରୁ ଝିଅଟି ଗୁରୁତର ଭାବେ ଅସୁସ୍ଥ ଥିଲେ ମଧ୍ୟ ପରିବାର ଲୋକ ତାଙ୍କୁ ହସ୍ପିଟାଲ ଆଣିବାରେ ବିଳମ୍ବ କରିଥିଲେ ।

ତେବେ ଜହାନାବାଦରେ କୁନି ଝିଅଟିର ମୃତ୍ୟୁ ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରୀୟ ମନ୍ତ୍ରୀ ଓ ବିଜେପି ଏଥିପାଇଁ କଂଗ୍ରେସକୁ ସିଧାସଳଖ ଭାବେ ଦାୟୀ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ କହିବା ଅନୁଯାୟୀ, ବିରୋଧୀ ଦଳ ଗୁଡିକ ଭାରତ ବନ୍ଦ ନାମରେ ଦେଶରେ ହିଂସା ସୃଷ୍ଟି କରୁଛନ୍ତି । ଯାହା ଫଳରେ ଜଣେ ୨ ବର୍ଷର ଝିଅର ଜୀବନ ଚାଲି ଯାଇଛି । ତେଣୁ ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ସମ୍ପୂର୍ଣ୍ଣ ଭାବେ ଦାୟୀ ।