ସମ୍ବଲପୁରରେ ଟ୍ରାକ୍ଟର ପଛରେ ଧକ୍କା ଖାଇଲା ବସ୍‌ : ୨ ଶ୍ରମିକ ମୃତ ଓ ୩ ଶ୍ରମିକ ଆହତ

167

କନକ ବ୍ୟୁରୋ : ସମ୍ବଲପୁରରେ ଟ୍ରାକ୍ଟର ପଛରେ ଧକ୍କା ଖାଇଲା ବସ୍‌ ।  ଆଜିପୂର୍ବାହ୍ନରେ ଜୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଥର୍ଲି ପୋଲ ନିକଟରେ ଗୋଟାଏ ଯାତ୍ରୀବାହୀ ବସ୍‌ ଗୋଟାଏ ଟ୍ରାକ୍ଟର୍‌ ପଛରେ ଧକ୍କା ଖାଇବାରୁ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି ।

ରିଆମାଳରୁ ସମ୍ବଲପୁର ଯାଉଥିବା ‘ପ୍ରଧାନ’ ନାମକ ଘରୋଇ ଯାତ୍ରୀବାହୀ ବସ୍‌ ସକାଳ ପ୍ରାୟ ୧୦: ୪୦ ସମୟରେ ଟ୍ରଲିରେ ପାଞ୍ଚଜଣ ଶ୍ରମିକଙ୍କୁ ବସାଇ ନେଉଥିବା ସେ ଟ୍ରାକ୍ଟର୍‌ ପଛରେ ଧକ୍କା ଖାଇଥିଲା । ଫଳରେ ଶ୍ରମିକମାନଙ୍କ ସହ ଟ୍ରାକ୍ଟରର ଟ୍ରଲିଟି ଓଲଟି ପଡ଼ିଥିଲା । ଅତି ସାଙ୍ଘାତିକ ଆହତ ହୋଇଥିବା ସେ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିସାରିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ ।

ମୃତ ଶ୍ରମିକମାନେ ହେଲେ ୩୬ ବର୍ଷିୟ ରାମସେବକ ସିଂହ ଏବଂ ୨୨ ବର୍ଷିୟ ଗୌରୀଶଙ୍କର । ଆହତମାନେ ହେଲେ ୨୨ ବର୍ଷିୟ ମୋହିତ କୁମାର, ୨୫ ବର୍ଷିୟ ଅଜୟ କୁମାର ଏବଂ ୩୫ ବର୍ଷିୟ ରାମ ପରବେଶ । ମୃତାହତ ଶ୍ରମିକମାନଙ୍କ ଘର ବିହାର ରାଜ୍ୟରେ । ରାସ୍ତା ସମ୍ପ୍ରସାରଣ କାମରେ ଲଗାଇବାକୁ ଏକ ଠିକା ସଂସ୍ଥା ସେମାନଙ୍କୁ କାର୍ଯ୍ୟସ୍ଥଳରେ ଥିବା କ୍ୟାମ୍ପ୍‌କୁ ନେବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।