ଏସସିବିରେ ୨ଜଣ ନବଜାତ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ ମା’ !

109

କନକ ବ୍ୟୁରୋ : ଏସ୍‌ସିବିରେ ଘଟିଛି ଏକ ଅଭାବନୀୟ ଘଟଣା । ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ପରେ ଦୁଇ ଜଣ ମା’ ସେମାନଙ୍କୁ ବଡ଼ ମେଡିକାଲରେ ଛାଡି ପଳାଇଛନ୍ତି । ଘଟଣା ଜଣାପଡିବା ପରେ ଏସ୍‌ସିବି କର୍ତୃପକ୍ଷ ଦୁଇ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କଟକ ବକ୍ସିବଜାର ଅଞ୍ଚଳର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳା ସନ୍ତାନ ପ୍ରସବ କରିଥିଲେ । ସନ୍ତାନ ଜନ୍ମ ହେବାପରେ ଉଭୟ ମା’ ଓ ଶିଶୁକନ୍ୟା ଠିକ୍‌ ମଧ୍ୟ ଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ମଧ୍ୟ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ  । ହେଲେ ରାତିରେ ହଠାତ୍‌ ଦେଖିଲାବେଳକୁ କେବଳ ଦୁଇ ଛୁଆ ବେଡ୍‌ରେ ଶୋଇଛନ୍ତି । ସେମାନଙ୍କ ମା’ ଅଥବା ପରିବାରର ଅନ୍ୟ କେହି ସେଠାରେ ନାହାନ୍ତି ।

ପାଖ ବେଡ୍‌ରେ ଥିବା ଅନ୍ୟ ପ୍ରସୂତିମାନେ ତୁରନ୍ତ ଏ ସଂପର୍କରେ ୱାର୍ଡ ଦାୟିତ୍ବରେ ଥିବା ନର୍ସଙ୍କୁ ଜଣାଇଥିଲେ । ଖୋଜାଖୋଜି ପରେ ମା’ମାନଙ୍କ ସଂପର୍କରେ ଜଣାନପଡିବାରୁ ଦୁଇ ଶିଶୁକନ୍ୟାଙ୍କୁ ତୁରନ୍ତ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା । ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ଓ ହସ୍ପିିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦୁଇ ନବଜାତକଙ୍କୁ କିପରି ଚିକିତ୍ସା କରାଯିବ ସେ ସଂପର୍କରେ ତଦାରଖ କରିଥିଲେ । ଏନ୍‌ଆରଏଚ୍‌ଏମ୍‌ ବିଭାଗ ପକ୍ଷରୁ ଦୁଇ ନବଜାତ ଶିଶୁକନ୍ୟାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଇଛି । ଅନ୍ୟପଟେ ଦୁଇ ଶିଶୁକନ୍ୟା ସୁସ୍ଥ ଥିବା ବେଳେ ସିସି ଟିଭି ଯାଞ୍ଚ କରି ଘଟଣା ସଂପର୍କରେ ଅଧିକ ଖୋଳତାଡ଼ କରାଯାଉଥିବା ମେଡିକାଲ କତ୍ତୃର୍ପକ୍ଷ ସୂଚନା ଦେଇଛନ୍ତି ।