ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ନେଇ ସଂସଦ ସରଗରମ ! କଂଗ୍ରେସର ଅଭିଯୋଗ, ଏହା ଶତାଦ୍ଦୀର ସବୁଠାରୁ ବଡ଼ ଘୋଟଲା

50

ଦୁଇ ପ୍ରକାର ୫୦୦ ଟଙ୍କିଆ ନୋଟ୍ ନେଇ ଆଜି ସଂସଦ ସରଗରମ । ରାଜ୍ୟସଭାରେ ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ ନେଇ ହଙ୍ଗାମା କରିଛି କଂଗ୍ରେସ । ୫୦୦ ଟଙ୍କିଆ ଦୁଇ ପ୍ରକାର ନୋଟର ଆକାର ଓ ଡିଜାଇନ ଅଲଗା ଅଲଗା ଥିବା ମଧ୍ୟ ଦର୍ଶାଇଛି । କଂଗ୍ରେସ ଅଭିଯୋଗ କରିଛି ଏହା ଶତାଦ୍ଦୀର ସବୁଠାରୁ ବଡ଼ ଘୋଟଲା । ଆମେ ମଧ୍ୟ ଶାସନରେ ରହିଛୁ , କିନ୍ତୁ ଆମେ କେବେ ବି ଦୁଇ ପ୍ରକାରର ନୋଟ୍ ଛାପିନାହୁଁ । ଦୁଇ ପ୍ରକାର ନୋଟ ମଧ୍ୟରୁ ଗୋଟିଏ ଦଳ ପାଇଁ ଆଉ ଗୋଟିଏ ସରକାର ପାଇଁ ବୋଲି କହିଛି କଂଗ୍ରେସ । ଏବେ ବଜାରରେ ଦୁଇ ପ୍ରକାରର ୫୦୦ ଟଙ୍କିଆ ନୋଟ୍ ଓ ୨୦୦୦ ଟଙ୍କିଆ ନୋଟ୍ ଉପଲବ୍ଧ ବୋଲି କହିଛନ୍ତି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ।

ଏହାର ଜବାବରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ନୋଟ୍ ଛପା ବିଷୟରେ ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଠିକ ନୁହଁ । ଶୂନ୍ୟକାଳରେ ଅନେକ ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରିବ ବୋଲି ସେ କହିଛନ୍ତି । କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ଶିବଲ କହିଛନ୍ତି, ଆଜି ଆମେ ଜାଣିଲୁ ମୋଦି ସରକାର କାହିିଁକିି ବିମୁଦ୍ରାକରଣର ନିଷ୍ପତ୍ତିି ନେଇଛନ୍ତି ? ତୃଣମୂଳ କଂଗ୍ରେସର ନେତା ଡ଼େରେକ ଓବ୍ରିୟନ କଂଗ୍ରେସର ସମର୍ଥନ କରି କହିଛନ୍ତିି, ଶିବଲ ଏକ ଗମ୍ଭୀର ମାମଲା ଉପରେ ସ୍ୱର ଉଠାଇଛନ୍ତି ।

ଏସବୁ ପରେ ଅରୁଣ ଜେଟଲୀ କହିଛନ୍ତି, ସେ ନୋଟର ପ୍ରାମାଣିକତା ଉପରେ ଦୃଷ୍ଟି ଦେବେ । ଅର୍ଥ ମନ୍ତ୍ରାଳୟ ସୂତ୍ର ଅନୁସାରେ ନୋଟର ଆକାର ଓ ଡିଜାଇନରେ ମାମୁଲି ପରିବର୍ତ୍ତନ ସମ୍ଭବ । ଏହାସହ ସେମାନେ ସ୍ପଷ୍ଟ କରିଛନ୍ତି ସରକାର ଏପରି ନୋଟ ମୁଦ୍ରଣ ପାଇଁ ଆଦେଶ ଦେଇ ନାହାନ୍ତି । ଭିନ୍ନ ଭିନ୍ନ ପ୍ରିଣ୍ଟିଙ୍ଗ ପ୍ରେସ ଯୋଗୁଁ ନୋଟର ଆକାର ଓ ଡିଜାଇନ ଏପରି ହୋଇଛି ବୋଲି ସେମାନେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ, ୫୦୦ ଟଙ୍କିଆ ନୋଟରେ ମୁଦ୍ରଣ ଜନିତ ତ୍ରୁଟି ଥିଲା ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ସ୍ପଷ୍ଟୀକରଣ ଦେଇଥିଲା । ଏହା ସହ ବଜାରରେ ଦୁଇ ପ୍ରକାରର ନୋଟ ଉପଲବ୍ଧ ବୋଲି ମଧ୍ୟ ସ୍ୱୀକାର କରିଥିଲା ଆରବିଆଇ । ଜରୁରୀ ପରିସ୍ଥିତରେ ଦ୍ରୁତ ଗତିରେ ନୂଆ ଟଙ୍କା ମୁଦ୍ରଣ ଚାଲିଥିବାରୁ ଏଭଳି ତ୍ରୁଟି ଘଟିଥିଲା ବୋଲିି ଆରବିଆଇ ପକ୍ଷରୁ କୁହାଯାଇଥିଲା ।