ସାଧାରଣତନ୍ତ୍ର ଦିବସରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ! ରାଜଘାଟରୁ ୨ ଆତଙ୍କବାଦୀଙ୍କୁ ଧରିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ

125

ଧରାପଡିଲା ଆତଙ୍କବାଦୀଙ୍କ ସାଂଘାତିକ ଷଡଯନ୍ତ୍ର । ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ଏକ ବଡ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରୁଥିବା ଜୈସ-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଗିରଫ କରିଛି । ଯାହାଦ୍ୱାରା ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସ ।

ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ, ୨୯ ବର୍ଷିୟ ଅବ୍ଦୁଲ ଲତିଫ୍ ଗନି ଓରଫ ଉମୈର୍ ଓରଫ୍ ଦିଲ୍ଓ୍ଵାର୍ ଏବଂ ୨୬ ବର୍ଷିୟ ହିଲାଲ୍ ଅହମଦ ଭଟ। ଉଭୟ ଯଥାକ୍ରମେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଓ୍ଵାକୁରା ଓ ବଟପଡ଼ା ଅଞ୍ଚଳର ବାସିନ୍ଦା ।

ରିପୋର୍ଟ ଅନୁଯାୟୀ, ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ସଦସ୍ୟ ଅବଦୁଲ ଲତିଫ ଗଣତନ୍ତ୍ର ଦିବସ ସମାରୋହ ସମୟରେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ କରିଥିଲା । ୨୦ ଜାନୁଆରୀରେ ଅବଦୁଲ ଲତିଫ ରାଜଘାଟରେ ଜଣେ ଯୁବକଙ୍କୁ ଭେଟିବାକୁ ରାଜଘାଟ ଆସୁଥିବା ଖବର ପୁଲିସକୁ ସୂଚନା ମିଳିଥିଲା । ପରେ ସୂଚନା ଆଧାରରେ ସାଧା ପୋଷାକରେ ଥିବା ପୋଲିସ ଅଧିକାରୀଙ୍କୁ ରାଜଘାଟରେ ମୁତୟନ କରାଯାଇଥିଲା । ଆଉ ୨୦ ଓ ୨୧ ମଧ୍ୟରାତ୍ରରେ ଅବଦୁଲ ଲତିଫଙ୍କୁ ଗିରଫ କରିଥିଲା ପୋଲିସ ।

ଅବଦୁଲ ଲତିଫ୍ ଶ୍ରୀନଗର ସମେତ ଜମ୍ମୁ-କାଶ୍ମୀରର କିଛି ସ୍ଥାନରେ ପୂର୍ବରୁ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ରହିଥିଲା । ଗିରଫ ସମୟରେ ଲତିଫଙ୍କ ପାଖରୁ ଗୋଟିଏ ୩୨ ବୋର୍ ପିସ୍ତଲ୍ ଏବଂ ୨୬ଟି ଅବ୍ୟବହୃତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।

ତା’ର ଅନ୍ୟାନ୍ୟ ସହଯୋଗୀ ଭଟଙ୍କୁ ଧରିବାକୁ ପୁଲିସର ଏକ ଦଳ ତୁରନ୍ତ ଜମ୍ମୁ ଓ କଶ୍ମୀର ଯାଇଥିଲା। ସେଠାରେ ଗୋଟିଏ ଘରୁ ୨ଟି ହାତଫିଙ୍ଗା ଗ୍ରେନେଡ୍ ଉଦ୍ଧାର କରିଥିଲା। ଆତଙ୍କ ଆକ୍ରମଣ ନିମନ୍ତେ ପୂର୍ବରୁ ସେ ଦିଲ୍ଲୀ ବିଭିନ୍ନ ଅଞ୍ଚଳ ସର୍ବେକ୍ଷଣ କରିଥିଲା। ସେମାନେ ଜୈସ୍-ଏ-ମହମ୍ମଦର ସଦସ୍ୟ ବୋଲି ପଚରା ଉଚୁରା ବେଳେ କହିଥିଲେ।