ବିଦ୍ୟାର୍ଥୀ ବଢିଲେ, ମେଧାବୀ କମିଲେ : ଗତବର୍ଷ ତୁଳନାରେ କମିଲା ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା

71

କନକ ବ୍ୟୁରୋ : ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଆଗୁଆ ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତବର୍ଷ ପାସହାର ଅଧିକ ରହିଥିବାବେଳେ କମିଛି ଟପରଙ୍କ ସଂଖ୍ୟା । ସେହିପରି ସରକାରୀ କଲେଜ ଅପେକ୍ଷା ବେସରକାରୀ କଲେଜ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଯାହା ଉଚ୍ଚ ମାଧ୍ୟମିକି ଶିକ୍ଷା ପରିଷଦ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢାଇ ଦେଇଛି । ତେବେ ନୂତନ ପାଠ୍ୟ ଖସଡାରେ ଆଗାମୀ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀ ଭଲ କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ବଦ୍ରି ପାତ୍ର ।

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ କମିଛି ଟପରଙ୍କ ସଂଖ୍ୟା । ଗତବର୍ଷ ୪୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ଚଳିତବର୍ଷ ଏହା କମି ୨୭ରେ ପହଂଚିଛି । ତେବେ ସରକାରୀ କଲେଜ ଅପେକ୍ଷା ବେସରକାରୀ କେଲଜର ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ ମାର୍କ । ଦିନକୁ ଦିନ ଯୁକ୍ତ ଦୁଇ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣୁଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଏହା ଏକ ବଡ ବିଫଳତା ବୋଲି କୁହାଯାଇପାରେ । ତେବେ ଆରମ୍ଭ ହୋଇଥିବା ନୂତନ ପାଠ୍ୟ ଖସଡାରେ ଆଗାମୀବର୍ଷ ଛାତ୍ରଛାତ୍ରୀ ଭଲ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର

ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନରେ ୯୦ ହଜାର ୬୪୩ ଜଣ ପରୀକ୍ଷା ଦେଇଥିବାବେଳେ ୭୩ ହଜାର ୫୨୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ ପାସହାର ୮୦.୮ ପ୍ରତିଶତ ଥିଲାବେଳେ ଚଳିତବର୍ଷ ୮୧.୧୧ ପ୍ରତିଶତ ରହିଛି । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ଅଛି । ଚଳିତବର୍ଷ ୮୦.୨୯ ପ୍ରତିଶତ ଛାତ୍ର ପାସ କରିଥିବାବେଳେ ୮୨.୩୬ ପ୍ରତିଶତ ଛାତ୍ରୀ ପାସ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ୯୩.୬୧ ପ୍ରତିଶତ ଓ ନୟାଗଡ ଜିଲ୍ଲାରେ ୯୪.୨୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

୨୦୧୮-୧୯ ଶିକ୍ଷାବର୍ଷରୁ ଯୁକ୍ତ ଦୁଇ ପରିବର୍ତେ ରାଜ୍ୟର ୩୧୪ଟି ବ୍ଲକରେ ଥିବା ଗୋଟିଏ ଲେଖାଏଁ ବିଦ୍ୟାଳୟରେ ଆରମ୍ଭ ହେବ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ । ଗଣଶିକ୍ଷା ବିଭାଗ ଅଧିନକୁ ଆସିବା ପରେ ବିଦ୍ୟାଳୟରେ ଆରମ୍ଭ ହେବ ଏହି ବ୍ୟବସ୍ଥା । ଆଜି ଏନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେବାସହ ନୂତନ ପାଠ୍ୟଖସଡା ଅନୁଯାୟୀ ଆଗାମୀ ବର୍ଷ ଭଲ ରେଜଲ୍ଟ ହେବ ବୋଲି ଆଶାପ୍ରକାଶ କରିଛନ୍ତି ।