ରକ୍ତମୁଖା ହେଲା ଲାଲବାହିନୀ ! ଆନ୍ଧ୍ରପ୍ରଦେଶର ବିଧାୟକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

34

କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ସ୍ପଷ୍ଟ ଦିବାଲୋକରେ ଜଣେ ଶାସକ ଦଳର ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ବିଶାଖାପାଟଣାର ଡୁବୁରିଗୁଡାଠାରେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଲାଲାବାହିନୀ । ମୃତକମାନେ ହେଲେ ଆରକୁ ବିଧାୟକ କେ ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସାବରୀ ସୋମେଶ ।

ଡୁବୁରିଗୁଡା ଯାଉଥିବା ବେଳେ ଅଧାବାଟରେ ସେମାନଙ୍କ ୫୦ରୁ ୬୦ ଜଣ ସଶସ୍ତ୍ର ମାଓବାଦୀ ଅଟକାଇଥିଲେ । ପ୍ରଥମେ ଦେହରକ୍ଷୀଙ୍କ ଠାରୁ ବନ୍ଧୁକ ଲୁଟ୍ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲେ । ଆନ୍ଧ୍ର ପୋଲିସ ସ୍ଥାନୀୟ ଅଂଚଳରେ ସର୍ଚ ଅପରେସନ ଜୋରଦାର କରିଥିବା ବେଳେ ଓଡିଶା ପୋଲିସ ମଧ୍ୟ ବିଛିନ୍ନାଂଚଳରେ ଆଲର୍ଟ ଜାରି କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଆରକୁ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ସ୍ଥାନୀୟ ପୋଲିସ ବିଧାୟକଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ଅଭିଯୋଗ କରି ଡୁବୁରିଗୁଡା ଥାନାକୁ ବିଧାୟକଙ୍କ ସମର୍ଥକ ପୋଡି ଦେଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିଧାୟକଙ୍କ ଶବକୁ ସେମାନେ ଉଠାଇବାକୁ ଦେଉ ନାହାନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଡାଜଳାର ଆଶଙ୍କା ପ୍ରକାଶ କରି ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ତେବେ ଏହି ଦୁଇ ନେତାଙ୍କ ହତ୍ୟା ପଛରେ ବକ୍ସାଇଟ୍ ଖଣି ଖନନ କାରଣ ବୋଲି କୁହାଯାଉଛି । ପୂର୍ବରୁ ସେମାନଙ୍କୁ ଏହି ଖଣି ଖନନ ବନ୍ଦ କରିବା ପାଇଁ ମାଓବାଦୀ ଚେତାବନୀ ଦେଇ ଆସୁଥିଲେ ବୋଲି ଜଣାପଡିଛି ।