ତୃତୀୟ ଦିନରେ ଯାଞ୍ଚ ହେଲା ଶ୍ରୀମନ୍ଦିର ନାଟମଣ୍ଡପ ! ୧୬ଟି ବିମ ମଧ୍ୟରୁ ୨ଟିରେ ଫାଟ

44

କନକ ବ୍ୟୁରୋ : ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ୧୬ଟି ବିମ୍ ମଧ୍ୟରୁ ୨ଟିରେ ଫାଟ ସୃଷ୍ଟି ହୋଇଛି। ଏଥିରେ ମୁଖ୍ୟ ବିମ୍ ମଧ୍ୟ ସାମିଲ ଅଛି। ନାଟ ମଣ୍ଡପରେ ୪ଟି ମୁଖ୍ୟ ବିମ୍ ଲାଗିଥିବା ବେଳେ ୧୨ଟି ସହାୟକ ବିମ୍ ଲାଗିଛି। ପ୍ରତ୍ନତତ୍ୱ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ଟିମ୍ର ୩ ଦିନ ଯାଞ୍ଚ ପରେ ବୁଧବାର ଏହା ଜଣାପଡ଼ିଛି। କମିଟିର ସଦସ୍ୟ ଏ.କେ. ପଟେଲ ଦେଇଥିବା ସୂଚନା ଅନୁସାରେ ନାଟ ମଣ୍ଡପ କେଉଁ ସ୍ଥିତିରେ ଅଛି, ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ ହେବ। ମରାମତି ପାଇଁ କ’ଣ ଆବଶ୍ୟକତା ଅଛି ତାହା ସ୍ପଷ୍ଟ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ପଟେଲ କହିଛନ୍ତି ଏକ ମାସ ମଧ୍ୟରେ ମରାମତି କାମ ଆରମ୍ଭ ହେବ। ଏଥି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସରିଛି। ମରାମତି ପୂର୍ବରୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେବ। ଆଲୋଚନା ପରେ ଖୁବ ଶୀଘ୍ର କାମ ଆରମ୍ଭ ହେବ।

ରାଜ୍ୟ ବାହାରର ଏହି ବୈଷୟିକ ଟିମରେ ହେଡ୍ ଅଫ୍ ଦି ସ୍କୁଲ ପ୍ରଫେସର ଅରୁଣ ମେନନ୍, ଆଇଆଇଟି ଖଡ଼ଗପୁରର ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର ଏସ୍.କେ.ଭଟାଚାର୍ୟ୍ୟ, ଆଇଆଇଟି ମାଡ୍ରାସ୍ର ଅମ୍ଳାନ ସେନ୍ଗୁପ୍ତା, କୋର୍ କମିଟି ଅଧ୍ୟକ୍ଷ ଏ.ପି.ଗୁପ୍ତା, ଦିଲ୍ଲୀ ପ୍ରତ୍ନତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ନିର୍ଦେଶକ ଏ.କେ. ପଟେଲ, ବରିଷ୍ଠ ବିଶେଷଜ୍ଞ ଏନ୍.ସି.ପାଲ୍, ଧର୍ମପ୍ରସାଦ ମିଶ୍ର, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ପୂରା ଯାଞ୍ଚ ପରେ ରିପୋର୍ଟ ଦେବ କମିଟି ।