ଓଡ଼ିଶା ଆଗରେ ମୁଣ୍ଡ ନୁଆଁଇଲା ଛତିଶଗଡ଼ ପ୍ରଶାସନ ! ଦେଢ଼ ବର୍ଷ ପରେ ଛତିଶଗଢ଼ ଜେଲରୁ ମୁକୁଳିଲେ ଦୁଇ ଓଡିଆ

28

କନକ ବ୍ୟୁରୋ : ହାର ମାନିଲା ଛତିଶଗଡ଼ ପ୍ରଶାସନ । ଓଡ଼ିଶା ଆଗରେ ମୁଣ୍ଡ ନୁଆଁଇଲା । ଦେଢ଼ ବର୍ଷ ପରେ ଛତିଶଗଡ଼ ଜେଲରୁ ମୁକୁଳିଲେ ଦୁଇ ଓଡିଆ । ଶେଷରେ ସତ୍ୟର ହୋଇଛି ଜୟ । ମିଥ୍ୟା ଅଭିଯୋଗରେ ଓଡ଼ିଶା ସୀମାରୁ ଉଠାଇ ନେଇଥିବା ଦୁଇ ଓଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି ଛତିଶଗଡ ହାଇକୋର୍ଟ ।

ଧରା ପଡ଼ିଲା ଛତିଶଗଡ଼ର ମିଛ । ଦେଢ଼ବର୍ଷ ପରେ ଜଗଦଲପୁର ସେଂଟ୍ରାଲ ଜେଲରୁ ମୁକୁଳିଲେ ଦୁଇ ଓଡିଆ ନିରଞ୍ଜନ ଦାସ ଓ ଦୁର୍ଯ୍ୟତ ମହାକୁଡ । ୨୦୧୭, ଜୁଲାଇ ୨୮ରେ ଓଡ଼ିଶା ସୀମାରେ ପଶି କୋରାପୁଟ ନୁଆଗାଁରୁ ଜୋରଜବଦସ୍ତ ନିରଞ୍ଜନ ଓ ଦୁର୍ଯ୍ୟତଙ୍କୁ ଉଠାଇ ନେଇଥିଲେ ଛତିସଗଡ଼ର ଯବାନ । ନକ୍ସଲକୁ ଗୋଳାବାରୁଦ ଯୋଗାଉଥିବା ଅଭିଯୋଗରେ ଉଠାଇ ନେଇ ଜେଲ ପଠାଇ ଦେଇଥିଲା । ଛତିସଗଡର ଏଭଳି ଦାଦାଗିରିକୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ କୋରାପୁଟ ପୁଲିସ । ପରେ ଏମାମଲାକୁ ନେଇ ଛତିଶଗଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତ ପରିବାର । ମାମଲାର ଅନୁଧ୍ୟାନ କରି ମିଳିତ ତଦନ୍ତ ରିପୋର୍ଟ ଦେବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଡିଶା ପୁଲିସର ସତ୍ୟପାଠ ଦାଖଲ କରିବା ପରେ ନିରଞ୍ଜନ ଓ ଦୁର୍ଯ୍ୟତଙ୍କୁ ଜାମିନ ପ୍ରଦାନ ସହ ଏସଆଇଟି ଗଠନ ପାଇଁ ଛତିଶଗଡ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ହାଇକୋର୍ଟ ।

ଦୁଇ ଓଡିଆ ଛତିଶଗଡ ଜେଲରୁ ମୁକୁଳିବା ପରେ ଦୁଇ ପରିବାରରେ ଖୁସିର ଲହରି ଖେଳିଯାଇଛି । ଅନ୍ୟାୟରେ ମୋ ପୁଅକୁ ଛତିଶଗଡ ଜେଲ ପଠାଇ ଥିଲା ବୋଲି କହିଛନ୍ତି ନିରଂଜନଙ୍କ ମା । ଶେଷରେ ସତ୍ୟର ଜୟ ହୋଇଛି, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଜିଲ୍ଳା ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ସେ । ଆଗକୁ ସମ୍ପୁର୍ଣ୍ଣ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି ନିରଂଜନଙ୍କ ବାପା ।