ବାତ୍ୟା ପରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି : ଗଞ୍ଜାମ ପାଇଁ ବିଶାଖାପାଟଣାରୁ ଆସିବ ୨ ହେଲିକପ୍ଟର

37

କନକ ବ୍ୟୁରୋ : ତିତଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ହେଲେ ତିତଲି ପ୍ରଭାବରେ ହୋଇଥିବା ବର୍ଷାରେ ଗଞ୍ଜାମବାସୀ ବେଶୀ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି । ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଳାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଜିଲ୍ଳାପାଳଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଂଜାମ ଜିଲ୍ଳାରେ ଏୟାର ଲିଫ୍ଟିର ଆବଶ୍ୟକ ଥିବା ନେଇ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ବିଶାଖାପାଟଣାରୁ ୨ ଟି ହେଲିକପ୍ଟର ମଗାଯିବ । ପ୍ରଭାବିତ ଅଂଚଳରେ ରନ୍ଧା ଖାଦ୍ୟ ସହ ସ୍ୱାସ୍ଥ୍ୟ ଶିବିର ଖୋଲିବାକୁ ନିର୍ଦ୍ଦେଶ ରହିଛି । ଗଂଜାମ, ଛତ୍ରପୁର ଓ ପୁରୁଷୋତମପୁର ବିଶେଷ ପ୍ରଭାବିତ ହୋଇଛି । କନ୍ଧମାଳର ଜି ଉଦୟଗିରି ଓ କଟକ କଂଟାପଡାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ଭିତରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ତିତଲି ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତିତଲି ଘୂର୍ଣିଝଡ ଏବେ କନ୍ଧମାଳ ଠାରୁ ୩୦ କିଲୋମିଟର ଦୂରରେ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଓଡିଶା ଅତିକ୍ରମ କରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଲଗାଣ ବର୍ଷା ଯୋଗୁ ୩ଟି ଜିଲ୍ଲାରେ ପରିସ୍ଥିତି ଗମ୍ଭୀର ରହିଛି ।

ଗଞ୍ଜାମ, ଗଜପତି ଓ ରାୟଗଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୧୬ଟି ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇଛି । ଏହା ସହ ୭୮ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ବଡ ନଦୀରେ ଜଳପତନ ବୃଦ୍ଧି ହୋଇଛି । ଆସ୍କାର ସୋରଡାରେ ଋଷିକୁଲ୍ୟା ନଦୀର ଜଳପତନ ବୃଦ୍ଧି ହୋଇଛି । ଏହା ସହ ବାହୁଦା ନଦୀରେ ମଧ୍ୟ ଜଳପତନ ବୃଦ୍ଧି ହୋଇଛି । ଫଳରେ ଆସ୍କା ଟାଉନ୍ରେ ୭ ଫୁଟର ପାଣି ଚାଲିଛି । ଜେଲ୍ ଗେଟ୍ ଭାଙ୍ଗି ଯିବାରୁ ୧୯୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।