ଶରୀର ଦୁଇ ହେଲେ ବିଚାର ଏକ୍…ସ୍ୱଚ୍ଛତାର ବାର୍ତ୍ତାବହ ସାଜିଛନ୍ତି ଦୁଇ ବାନ୍ଧବୀ…ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତିଦିନ ଦୁହେଁ ମିଶି ସଫା କରୁଛନ୍ତି ବିଭିନ୍ନ ରାସ୍ତା ଆଉ ମନ୍ଦିର

878

କନକ ବ୍ୟୁରୋ: ପ୍ରଶାସନଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ସଭିଙ୍କ ମନରେ ସାଧାରଣତଃ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତତ୍ପରତା ଦେଖିବାକୁ  ମିଳିଥାଏ । ଯେଉଁଥି ପାଇଁ କେଉଁଠି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ତ ପୁଣି ଆଉ କେଉଁଠି ଉଚ୍ଚସ୍ତରୀୟ ସମୀକ୍ଷା । ହେଲେ ସମାଜରେ ଏମିତି ବି ମଣିଷ ଅଛନ୍ତି, ଯେଉଁମାନେ କି ବିନା କୌଣସି ସ୍ୱାର୍ଥରେ ସ୍ୱଚ୍ଛାତାର ବାର୍ତ୍ତାବହ ସାଜିବା ସହ ଏହାକୁ ନିଜ ଦୈନନ୍ଦିନ ଜୀବନରେ ଏକ କର୍ତ୍ତବ୍ୟ ଭାବେ ବାଛିନେଇଛନ୍ତି । ଏଭଳି ଦୁଇ ଜଣ ସାଙ୍ଗ ହେଲେ  ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ପଦାଗିରି ପଂଚାୟତ ଢେପଗାଁ ଗାଁର ଏମ.ଶିବାନୀ ଦୋରା ଓ ସଂଧ୍ୟା ଦୋରା ।

ଦୁହେଁ ଯାକ ସାଙ୍ଗ ଗାଁ କଲେଜରେ ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷରେ ପଢୁଥିବା ବେଳେ ପାଠପଢା ସହ ସ୍ୱଚ୍ଛତାକୁ ବି ଏମାନେ ନିଜ ଜୀବନର ବ୍ରତ କରିଛନ୍ତି । କେତେବେଳେ ରାସ୍ତା କଡ ସଫା କରୁଛନ୍ତି ତ ଆଉ କେତେବେଳେ ଗାାଁ ଦାଣ୍ଡ । ଖାଲି ଏତିକି ନୁହେଁ ମନ୍ଦିର ପରିବେଶକୁ ସଫା ରଖି ପରିଷ୍କାର ଓ ପରିଚ୍ଛନ୍ନତାର ବାର୍ତ୍ତା ମଧ୍ୟ ବାଂଟୁଛନ୍ତି ।  ସକାଳୁ ଉଠିବା କ୍ଷଣି ଶିବାନୀ ଓ ସଂଧ୍ୟା ମିଶି ବିଭିନ୍ନ ମନ୍ଦିର ପରିସର ଓ  ରାସ୍ତା ସଫେଇ କାମରେ ଲାଗିପଡନ୍ତି ଆଉ ଦୀର୍ଘ ଘଂଟାଏ ଧରି ସଫେଇ କାମ କରିବା ପରେ ସେମାନେ ଘରକୁ ଫେରି ପୁଣି ପାଠପଢିବାକୁ ବାହାରି ପଡନ୍ତି ।

କେବଳ ଗାଁ ନୁହେଁ, ଦୁହେଁ ସାଙ୍ଗ ମିଶି ପାତ୍ରପୁର ସ୍ଥିତ ଦେଉଳିଆ କାଶୀ ବିଶ୍ୱନାଥ ମନ୍ଦିର ପରିସରକୁ ବି ଆସି ସଫେଇ କରିଥାନ୍ତି । ତେବେ ଏଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳେ । କାହିଁକି ନା ପରିବେଶ ସଫାସୁତରା ରହିଲେ ସିନା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଏଥି ସହିତ ହିଁ ନିଜ ବ୍ୟକ୍ତିତ୍ୱର ବି ବିକାଶ ହୋଇପାରିବ ବୋଲି କହିଛନ୍ତି ଶିବାନୀ ଓ ସଂଧ୍ୟା । ବାସ୍ତବରେ ଉଭୟ ସାଙ୍ଗଙ୍କ ଏଭଳି ନିଆରା ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ବେଳେ ସମାଜ ହିତରେ ମନ ବଳାଇଥିବା ଏହି ଦୁଇ ବାନ୍ଧବୀ ଏବେ ସଭିଙ୍କ ପାଇଁ ସାଜିଛନ୍ତି ଗେହ୍ଲା ଝିଅ।