୧୦ କିମି ଭିତରେ ହେବ ଯୁକ୍ତ ୨ ପରୀକ୍ଷା କେନ୍ଦ୍ର ! ବର୍ତମାନ ସୁଦ୍ଧା ବି ଚୂଡାନ୍ତ ହୋଇପାରି ନାହିଁ ପରୀକ୍ଷା କେନ୍ଦ୍ର ତାଲିକା

ଜାନୁଆରି ୨୮ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

172

କନକ ବ୍ୟୁରୋ : ଜାନୁଆରି ୨୮ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ହାତରେ ଆଉ କମ୍ ସମୟ ବାକି ଥିବା ବେଳେ ପରୀକ୍ଷା ପରିଚାଳନାକୁ ନେଇ ମାନସମନ୍ଥନ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। କଳା ବିଭାଗରେ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବେଳେ ବିଜ୍ଞାନ ବିଭାଗରେ ପ୍ରାୟ ୮୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଥର ଥିଓରି ପରୀକ୍ଷା ପାଇଁ କେନ୍ଦ୍ରରେ କିଛିଟା ପରିବର୍ତନ କରିବାକୁ ଯୋଜନା ଚାଲିଛି। ଦୁଇ ଦିନ ହେଲା ପରୀକ୍ଷା ପରିଚାଳନା କମିଟିର ଘନଘନ ବୈଠକ ହେଉଥିଲେ ମଧ୍ୟ କେନ୍ଦ୍ର ତାଲିକା ଚୂଡ଼ାନ୍ତ ହୋଇପାରି ନାହିଁ। ୨୦ରୁ ଅଧିକ କଲେଜ ନୂତନ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଥିବାରୁ ତାହାର ଭିତ୍ତିଭୂମି ଯାଞ୍ଚ କରିବା ଏବେ ପରିଷଦ ପାଇଁ ବଡ଼ ଆହ୍ବାନ ହୋଇଛି।

 

ପରୀକ୍ଷା କେନ୍ଦ୍ରର ଦୂରତା ଅଧିକ ରହୁଥିବାରୁ ବିଭିନ୍ନ ସମୟରେ ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସେଥିପାଇଁ ପରୀକ୍ଷା କେନ୍ଦ୍ର ମଧ୍ୟରେ ଦୂରତା ୧୦ କିମି ରଖିବାକୁ ସ୍ଥିର ହୋଇଛି। କୌଣସି ପରୀକ୍ଷା କେନ୍ଦ୍ରର ଦୂରତା ଯେମିତି ଅଧିକ ନ ହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯେଉଁଠି ପରୀକ୍ଷା କେନ୍ଦ୍ର ହେବ ତାହା ଚାରିପାଖରେ ପାଚେରି ରହିଥିବ। ସେଠାରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବେ। ଶୌଚାଳୟ ବ୍ୟବସ୍ଥା ଥିବ। ଶ୍ରେଣୀଗୃହଗୁଡ଼ିକ ଉନ୍ନତମାନର ହୋଇଥିବ। ଚେୟାର, ଟେବୁଲ୍ ଆଦି ଠିକ୍ ରହିଥିବ। ସେହି ଅନୁଯାୟୀ ଏବେ ସୁଦ୍ଧା ପ୍ରାୟ ୯୬୮ ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇସାରିଛି।

ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ଘରୋଇ ଶିକ୍ଷାନୁଷ୍ଠାନ ଭିତ୍ତିଭୂମିରେ ପରୀକ୍ଷା କରାଯିବ। ଭୁବନେଶ୍ବର ସମେତ ବ୍ରହ୍ମପୁର, କଟକ, ବାଲେଶ୍ବର ଏବ˚ ରାଉରକେଲାରେ ଅଧିକ ସଂଖ୍ୟକ ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। ତେଣୁ ଉକ୍ତ କଲେଜଗୁଡ଼ିକୁ ନିକଟସ୍ଥ ପରୀକ୍ଷା କେନ୍ଦ୍ର ସହ ଟ୍ୟାଗ୍ କରାଯିବ। ଯେଉଁ କଲେଜରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ସେଠାରେ ଅଧିକ ସେଲ୍ଫ ଫାଇନାନ୍ସ କଲେଜକୁ ଟ୍ୟାଗ୍ କରାଯିବାକୁ ସ୍ଥିର ହୋଇଛି। ଏଥର ମଧ୍ୟ ୨୦୨ ହବ୍ ରହିବ। କୌଣସି ପରିବର୍ତ୍ତନ କରାଯିବ ନାହିଁ। ପୂର୍ବଭଳି ହବ୍ଗୁଡ଼ିକରେ ଲକର ସିଷ୍ଟମ, ସିସିଟିଭି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବି କୁହାଯାଇଛି।