ଆଜିଠାରୁ ସିବିଏସଇ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ! ଭୁବନେଶ୍ୱର ରିଜିଅନର ୨ଶହ ୩୦ କେନ୍ଦ୍ରରେ ପରୀକ୍ଷା ଦେବେ ୧ ଲକ୍ଷ ୪୪ ହଜାର ଛାତ୍ରଛାତ୍ରୀ

47

କନକ ବ୍ୟୁରୋ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ (ସିବିଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ସାରା ଦେଶରୁ ଦଶମ ଶ୍ରେଣୀରେ ୧୬,୩୮,୪୨୮ ଓ ଦ୍ୱାଦଶ ଶ୍ରେଣୀରେ ୧୧,୮୬,୩୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ୱର ଜୋନର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟରୁ ୭୭,୭୦୮ ପରୀକ୍ଷାର୍ଥୀ ରହିଛନ୍ତି । ସେମାନଙ୍କ ଲାଗି ୨୨୮ଟି ପରୀକ୍ଷା କେନ୍ଦ୍ର ହୋଇଛି । ଦ୍ୱାଦଶ ଶ୍ରେଣୀରେ ୬୭୫ ବିଦ୍ୟାଳୟରୁ ୬୬,୩୬୭ ଛାତ୍ରଛାତ୍ରୀ ୨୧୯ଟି କେନ୍ଦ୍ରରେ ପରୀକ୍ଷା ଦେବେ । ଓଡ଼ିଶାରୁ ଦଶମ ଶ୍ରେଣୀରେ ପ୍ରାୟ ୧୭ ହଜାର ଓ ଦ୍ୱାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଆଜି ଦଶମରେ ଥିବା ବିଷୟଗୁଡ଼ିକ ପରୀକ୍ଷା ଭୁବନେଶ୍ୱର ଜୋନର କେତେକ ବିଦ୍ୟାଳୟରେ ହେଉ ନ ଥିବା ଜଣାପଡ଼ିଛି ।

ଉଭୟ ଶ୍ରେଣୀର ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ଏଥିପାଇଁ ସକାଳ ୯ଟାରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ । ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ସମୟରେ ମୁଖ୍ୟ ଫାଟକ ନିକଟରେ ଛାତ୍ରଛାତ୍ରୀଙ୍କ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ହଲରେ ବସିବା ପରେ ପୂର୍ବାହ୍ନ ୧୦ଟା ୧୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ୧୫ ମିନିଟ୍ ଧରି ସେମାନେ ପ୍ରଶ୍ନପତ୍ର ପଢ଼ିପାରିବେ। ପୂର୍ବାହ୍ନ ୧୦ଟା ୩୦ରେ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ପର୍ୟ୍ୟନ୍ତ ଚାଲିବ। ପରୀକ୍ଷା ପରିଚାଳନା ଲାଗି ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇଛନ୍ତି। ଏଥିସହ ଡେପୁଟି ସୁପରିଟେଣ୍ଡେଣ୍ଟ କେତେକ କେନ୍ଦ୍ରରେ ରହିଥିବା ସିବିଏସଇ ପକ୍ଷରୁ କୁହାଯାଇଛି।

ଦ୍ୱାଦଶ ଶ୍ରେଣୀର ପ୍ରଥମ ଦିନ ଇଂରାଜୀ ଇଲେକ୍ଟିଭ୍ ଓ କୋର ବିଷୟ ପରୀକ୍ଷା ରହିଛି । ଶେଷ ଦିନ ଅର୍ଥାତ୍ ଏପ୍ରିଲ ୧୨ରେ ହୋମ୍ ସାଇନ୍ସ ବିଷୟ ପରୀକ୍ଷା ରହିଛି । ପରୀକ୍ଷାର ସୁପରିଚାଳନା ଲାଗି ସିବିଏସଇ ପକ୍ଷରୁ ଏଥର ବ୍ୟାପକ ବ୍ୟବସ୍ଥା ହୋଇଛି । ଦକ୍ଷ ତଥା ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ପରିଚାଳନା ଓ ଉତ୍ତର ଖାତା ମୂଲ୍ୟାୟନରେ ସାମିଲ କରାଯିବ । ଦଶମ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ୧୨ଟି ବିଷୟର ପରୀକ୍ଷା ରହିଛି।