କ୍ୟାମେରା ରୋକିବ କପି: ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ଯୁକ୍ତ ୨ ପରୀକ୍ଷାରେ ବିଭ୍ରାଟ ନହେବାକୁ ୧୧୪୩ଟି କେନ୍ଦ୍ର ଜଗିବ ସିସିଟିଭି । ପରୀକ୍ଷା ବେଳେ ପହରା ଦେବେ ପୋଲିସ

149

କନକ ବ୍ୟୁରୋ: ସିସିଟିଭି ନଜରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ଯେଉଁ ଭୁଲ ମାଟ୍ରିକ ବେଳେ ହେଲା ତାହା ପ୍ଲସ ଟୁ ପରୀକ୍ଷାରେ ଆଉ ହେବନି । ସମସ୍ତ ସେଣ୍ଟରରେ କପି ଜଗିବ ସିସିଟିଭି । ଆସନ୍ତା ମାର୍ଚ୍ଚ ୩ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଲାଗିଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ଚିତ୍ରା ଆରୁମଗମ ।

ତେବେ ପ୍ଲସ ଟୁର ୧୧୪୩ଟି କେନ୍ଦ୍ରରେ ସିସିଟିଭି ଲାଗିଛି ବୋଲି କହିଛନ୍ତି ସଚିବ । ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡ଼ିଓ କନଫରେନସିଂ ହୋଇଥିଲା । ଏଥିରେ ଉନ୍ନୟନ କମିଶନର, ଗଣଶିକ୍ଷା ସଚିବ, ପୋଲିସ ଏଡିଜି ଓ ସିଏଚଏସଇର କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତବର୍ଷ ୧୬୨୮ଟି ହାଇଅର ସେକେଣ୍ଡାରୀ ସ୍କୁଲ ଓ ଜୁନିଅର କଲେଜର ଚାରୋଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକରେ ୩, ୫୦, ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସମଗ୍ର ରାଜ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ରଖିବା ଲାଗି ୨୦୨ଟି ହବ କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସୁପରଭାଇଜରଙ୍କୁ ଦୁଇଥର ଚେକିଂ କରାଯିବ । ପ୍ରଶ୍ନପତ୍ର ପରୀକ୍ଷା ହଲରେ ଖୋଲାଯିବ । ତେବେ ପରୀକ୍ଷା ହଲ ଚାରିପଟେ ପୋଲିସ ପହରା ମାରିବେ । ଆଉ ଦରକାର ପଡିଲେ ପାଟ୍ରୋଲିଂ ବି କରିବେ ବୋଲି ସୂଚନା ଦେଇଛନ୍ତି ସଚିବ ।