କେନ୍ଦ୍ରାପଡାରୁ ଧରାପଡିଲେ ମାପ ଓ ଓଜନ ବିଭାଗର ୨ ନକଲି ଅଧିକାରୀ । ଇଲେକ୍ଟ୍ରୋନିକ୍ସ ଓଜନ ଯନ୍ତ୍ର ଯାଞ୍ଚ ପାଇଁ ମାଗୁଥିଲେ ଟଙ୍କା, ଧରିଲା ପୋଲିସ ।

325

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମାପ ଓ ଓଜନ ବିଭାଗର ୨ ନକଲି ଅଧିକାରୀ ଗିରଫ । ନିଜକୁ ଏହି ବିଭାଗର ଅଧିକାରୀ କହି ଦୋକାନୀଙ୍କୁ ଠକୁଥିବା ବେଳେ ପୋଲିସ ପଞ୍ଝାରେ ପଡିଛନ୍ତି ଦୁଇ ଠକ । ଦୁଇ ଠକ ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଉଭୟଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ତାଳଚୁଆ ମେରାଇନ୍ ଥାନା ଅଞ୍ଚଳରେ ଆଜି ସକାଳୁ ସକାଳୁ ପହଞ୍ଚିଥିଲେ ଏହି ଦୁଇ ଠକ । ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଜୟ ସାହୁ ଓ ମନୋରଞ୍ଜନ ବାରିକ କୃଷ୍ଣନନ୍ଦପୁର ବଜାରରେ ପହଞ୍ଚି ନିଜକୁ ମାପ ଓ ଓଜନ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଉପାନ୍ତ ଅଞ୍ଚଳ ହୋଇଥିବାରୁ ଲୋକଙ୍କୁ ବେଶ ସହଜରେ ଠକି ହେବ ବୋଲି ଧରି ନେଇଥିଲେ ଏହି ଦୁଇ ବ୍ୟକ୍ତି ।

ବଜାରରେ ପହଞ୍ଚି ଦୋକାନୀ ମାନଙ୍କୁ ସମସ୍ତ ଇଲକ୍ଟ୍ରୋନିକ୍ସ ଓଜନ ଯନ୍ତ୍ରକୁ ପୁଣିଥରେ ଯାଞ୍ଚ କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ପୂର୍ବରୁ ଓଜନ ଯନ୍ତ୍ର ଯାଞ୍ଚ କରିଥିବାରୁ ଅଧିକାରୀଙ୍କୁ ପୁଣିଥରେ ଯାଞ୍ଚ କରିବାକୁ ମନା କରିଥିଲେ ଦୋକାନୀ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଦୋକାନୀଙ୍କ ସହ ଯୁକ୍ତିତର୍କ କରିଥିଲେ ଦୁଇ ଠକ୍ । । ଏପରିକି ଟଙ୍କା ମଧ୍ୟ ମାଗିଥିଲେ । ତେବେ ଏହି ନକଲି ଅଧିକାରୀଙ୍କ ଉପରେ ସନ୍ଦେହ ହେବାରୁ ଦୋକାନୀ ମାନେ ଏମାନଙ୍କୁ ଧରି ଥାନାରେ ଦେଇଥିଲେ । ପୋଲିସର ପଚରାଉଚରା ପରେ ଦୁଇ ଜଣଙ୍କର ଅସଲି ପରିଚୟ ସାମ୍ନାକୁ ଆସିଥିଲା । ମାପ ଓ ଓଜନ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇ ଉଭୟ ଦୀର୍ଘ ଦିନ ଧରି ଏଭଳି ଠକି ଚାଲୁଥିଲେ ବୋଲି ଜଣାପଡିଥିଲା । ପୋଲିସ ସେମାନଙ୍କ ଠାରୁ ମାପ ଓ ଓଜନ ବିଭାଗର ନକଲି ଲୋଗୋ ଓ ସରଞ୍ଜାମ ଜବତ କରିଛି ।