କାଳ ହେଲା କାଳବୈଶାଖୀ ! ବଲାଙ୍ଗିରରେ ୨ ମୃତ, କଲ୍ୟାଣସିଂହପୁରରେ ଉଡିଗଲା ୪୦ ରୁ ଅଧିକ ଘର ଛାତ

29

କନକ ବ୍ୟୁରୋ : କାଳବୈଶାଖୀର କରାଳ ରୂପ । ପବନରେ ଉଡିଗଲା ୪୦ରୁ ଅଧିକ ଘରର ଛାତ । ଉପୁଡିପଡିଛି ଏକାଧିକ ଗଛ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା କଲ୍ୟାଣସିଂହପୁର ବ୍ଲକ୍ ପୂଜାରାଗୁଡା ପଂଚାୟତ ଶାନ୍ତିନଗର ଗାଁରେ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅପରାହ୍ନ ୨ଟା ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ପ୍ରବଳ ପବନ ବହିଥିଲ। । ପବନର ବେଗ ଏତେ ଥିଲା ଯେ ମାତ୍ର କେଇ ମିନିଟ୍ ମଧ୍ୟରେ ଗାଁର ଅଧିକାଂଶ ଘରର ଟିଣ ଛପର ଉଡାଇ ନେଇଛି । ଏହା ସହ ଘରର ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣା ପରେ ଖୋଲା ଆକାଶତଳେ ପଡିଛନ୍ତି ପ୍ରଭାବିତ ଲୋକ ।

ସେପଟେ ଏହି ବ୍ଲକର ସୁନାଖଣ୍ଡି ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅୁନଯାୟୀ ସୁନାଖଣ୍ଡି ଗାଁର ୩ଜଣ ନାବାଳକ ଖରାବେଳେ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ମୁନା କାଡ୍ରାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଅନ୍ୟପଟେ ବଲାଙ୍ଗୀରରେ ମଧ୍ୟ କାଳବୈଶାଖୀ ପ୍ରଭାବକରେ କାନ୍ଥ ପଡି ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।