ଭଦ୍ରକ : ତିହିଡ଼ି ସିନେମା ହଲ୍ ନିକଟ ଛକରେ ଟ୍ରକକୁ ପିଟିଲା ସ୍କର୍ପିଓ, ୨ ମୃତ

1,703
କନକ ବ୍ୟୁରୋ : ଟ୍ରକକୁ ପିଟିଲା ସ୍କର୍ପିଓ । ଆଜି ସକାଳେ ଭଦ୍ରକର ତିହିଡ଼ି ବଜାର ଅନ୍ତର୍ଗତ ତିହିଡ଼ି ସିନେମା ହଲ୍ ନିକଟ ଛକରେ ହୋଇଛି ଏହି ଦୁର୍ଘଟଣା ।  ତିହିଡ଼ି ସିନେମା ହଲ୍ ନିକଟ ଛକରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ଗୋଟାଏ ସ୍କର୍ପିଓ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି ।
ପାହାନ୍ତାରେ ଘନ କୁହୁଡ଼ି ଘୋଟି ଥିବାରୁ ଚାନ୍ଦବାଲି ପଟୁ ଭଦ୍ରକ ଆଡୁକୁ ଯାଉଥିବା ଆଇଓସିଏଲ୍ର ପାଟ୍ରୋଲିଙ୍ଗ୍ ଏସ୍ୟୁଭିର (ସ୍କର୍ପିଓ) ଡ୍ରାଇଭର ରାସ୍ତାପର୍ଶ୍ୱରେ ପୂର୍ବରୁ ଠିଆ ହୋଇ ରହିଥିବା ଟ୍ରକଟିକୁ ଦେଖି ନପାରି ସେଥିରେ ଧକ୍କା ଖାଇଥିଲା । ଧକ୍କାର ପ୍ରଭାବରେ ସ୍କର୍ପିଓ ଚାଳକ ଦିଲୀପ ରାଉତ ଓ ଆଇଓସିଏଲ୍ ପାଟ୍ରୋଲିଙ୍ଗରେ ନିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ଏସ୍. କେ. ପ୍ରଧାନଙ୍କର ମୃତ୍ୟୁ ଘଟିଛି । ଗାଡ଼ିରେ ଥିବା ଆଇଓସିଏଲର ଅନ୍ୟତମ କର୍ମଚାରୀ ବିଚିତ୍ର ପାଢ଼ୀ ଆହତ ହୋଇଛନ୍ତି।
ସ୍କର୍ପିଓ ଡ୍ରାଇଭର୍ ୨୬ ବର୍ଷିୟ ଦିଲୀପଙ୍କ ଘର ଭଦ୍ରକର ଗେଲପୁର ଗ୍ରାମରେ ଓ ୩୫ ବର୍ଷିୟ ବିଜୟଙ୍କ ଘର ଯାଜପୁର। ଖବର ପାଇ ତିହିଡ଼ି ପୁଲିସ ଓ ଦମକଳ ବାହିନୀ ଘଟନାସ୍ଥଳରୁ ମୃତ ଓ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି । ମୃତ ଦିଲୀପ ଓ ଆହତ ବିଚିତ୍ରଙ୍କ ଘରକୁ ଦୁର୍ଘଟନା ସଂକ୍ରାନ୍ତରେ ଖବର ଦିଆଯାଇଛି ।