ଦଇତାପତିଙ୍କୁ ସରକାରଙ୍କ ଅନୁକଂପା : ଭକ୍ତଙ୍କୁ ରଥରେ ଚଢାଇ ଦେଇନଥିବାରୁ ୨ କୋଟି ପୁରସ୍କାର

48

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରିବିଜେରେ ବିଶୃଙ୍ଖଳାକୁ ନେଇ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ସେବାୟତଙ୍କ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପାର କାହାଣୀ ପଦାକୁ ଆସିଛି। ଗତବର୍ଷ ରଥଯାତ୍ରା ସମୟରେ ରଥ ଉପରେ କୌଣସି ଭକ୍ତଙ୍କୁ ଚଢାଇ ଦେଇନଥିଲେ ଦଇତାପତି ସେବାୟତ । ସରକାରଙ୍କ ନିର୍ଦେଶନାମାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଦଇତାପତିମାନେ। ତେଣୁ ପୁରସ୍କାର ସ୍ୱରୂପ ଦଇତାପତି ନିଯୋଗକୁ ୨କୋଟି ଟଙ୍କା ଦେବାକୁ ଆଇନ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ସୁପାରିଶ କରିଥିଲେ । ଏ ଚିଠି ହେଉଛି ଏହି ଅହେତୁକ ଅନୁକମ୍ପା କାହାଣୀର ପ୍ରମାଣ । ଆଇନ୍ ବିଭାଗରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଶ୍ରୀମନ୍ଦିର ପ୍ରଶାସନକୁ ଏ ଚିଠି ଦିଆ ଯାଇଥିଲା ।

ଚିଠିରେ କୁହାଯାଇଥିଲା ମନ୍ଦିର ପ୍ରଶାସନ ତରଫରୁ ୨କୋଟି ଟଙ୍କା ଦଇତାପତି ନିଯୋଗକୁ ଦିଆଯାଉ । କାରଣ ସେମାନେ ରଥ ଉପରକୁ ଭକ୍ତଙ୍କୁ ଚଢିବାକୁ ଦେଇନଥିଲେ । ପରବର୍ତ୍ତି ସମୟରେ ଏହି ଟଙ୍କା ରାଜ୍ୟ ସରକାରଙ୍କ ବଜେଟରୁ ମନ୍ଦିର ପ୍ରଶାସନକୁ ଦିଆଯିବ । ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ, ଯେ, ଗତବର୍ଷ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ମୁଖ୍ୟ କାର୍ପଟଦାର ଥିଲେ ଦଇତାପତି ସେବକ । ଯାହାଙ୍କ ବିଶୃଙ୍ଖଳା ଓ ମନମୁଖୀ କାର୍ଯ୍ୟକଳାପ ପାଇଁ ରାଜ୍ୟ ସରକାର ନିନ୍ଦିତ ହୋଇଥିଲେ। ତେବେ କେଉଁ ପରିସ୍ଥିତିରେ ବିଶୃଙ୍ଖଳାକାରୀ ଦଇତାପତିଙ୍କ ଭୂଲ୍ କ୍ଷମା ଦେଇ ସରକାର ଦୁଇ କୋଟି ପୁରସ୍କାର ଦେବାକୁ ବିଚାର କଲେ ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ନେଇ ଗୋଟି ଗୋଟି କଥା ଗଣମାଧ୍ୟମକୁ ଜଣାଇଥାନ୍ତି ସରକାର। ତେବେ ଦଇତାପତିଙ୍କୁ ଦୁଇକୋଟି ଟଙ୍କାର ପୁରସ୍କାର ପାଇଁ ସୁପାରିଶ କରି କେମିତି ଲୁଚାଇ ଥିଲେ ସରକାର।