ମେକ୍ ଇନ୍ ଓଡିଶା : ଅଢେଇ ଲକ୍ଷ କୋଟି ଟଙ୍କାର ପୁଂଜି ଆସିବା ସମ୍ଭାବନା

ଶିଳ୍ପାୟନ ଓ ବିକାଶର ସ୍ୱପ୍ନ ନେଇ ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶାର ୨ୟ ସଂସ୍କାରଣ!

130

କନକ ବ୍ୟୁରୋ : ଉଦଘାଟନ ହୋଇଛି ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇନଭେଷ୍ଟର୍ସ ମିଟର ଉଦଘାଟନ କରିବା ସହ ନୂଆ ଓଡିଶାକୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ଆଉ ଏହାସହ ଶିଳ୍ପକେନ୍ଦ୍ର ଭାବେ ଓଡିଶା ଆଗକୁ ବଢିବ ବୋଲି ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।
ପସ୍କୋ ଓ ମିତଲ ଭଳି ବିଶ୍ୱସ୍ତରୀୟ ସଂସ୍ଥା ଓଡିଶାରେ ବୃହତ ପ୍ରକଳ୍ପରୁ ଓହରିଯିବା ପରେ ଯେଉଁ ଅନିଶ୍ଚିତତାର କଳାବାଦଲ ଘୋଟି ଆସିଥିଲା , ଏବେ ମେକ୍ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣ ନୂଆ ସମ୍ଭାବନା ସୃଷ୍ଟି କରିଛି । ଆସିବେ ୬ଟି ଦେଶର ୮ଶହ ଶିଳ୍ପ ମୁଖ୍ୟ ।ଅଢେଇ ଲକ୍ଷ କୋଟିର ପୁଂଜିନିବେଶ ଆଶା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଟାଟା ଗ୍ରୁପ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ଓ ଜେଏସପିଏଲ୍ ମୁଖ୍ୟ ନବୀନ ଜିନ୍ଦଲଙ୍କ ସମେତ ଆଦିତ୍ୟ ବିର୍ଲା, ମହିନ୍ଦ୍ରା, ଅଦାନୀ, ଗୋଦରେଜ୍ ଓ ବେଦାନ୍ତ ରିସୋର୍ସେସ ଭଳି ବଡ ବଡ ଶିଳ୍ପସଂସ୍ଥା ମୁଖ୍ୟ ସାମିଲ ହେଉଛନ୍ତି ଏହି ଶିଳ୍ପ ମହାକୁମ୍ଭରେ । ଜାପାନ ଚଳିତ ଥର ସମ୍ମିଳନୀର କଂଟ୍ରି ପାର୍ଟନର ରହିଛି । ଜାପାନର ୨୦ ଜଣିଆ ପ୍ରତିନିଧି ଦଳ ଓଡିଶା ଆସିଛି । ଫ୍ରାନ୍ସ, ୠଷିଆ, ସାଉଦି ଆରବ, ଜର୍ମାନୀ, ୟୁଏଇ ଏବଂ ଚୀନ୍ ଭଳି ୬ ଟି ଦେଶର ରାଷ୍ଟ୍ରଦୂତ ଓ ଶିଳ୍ପପତି ମେକ୍ ଇନ୍ ଓଡିଶା କନକ୍ଲେଭରେ ଯୋଗ ଦେବେ । ଏଥିସହ ଦେଶବିଦେଶର ୮୦୦ ଶିଳ୍ପମୁଖ୍ୟ ସାମିଲ ହେବେ ।

ସୋମବାର ରହିଛି ପ୍ଲେନାରୀ ସେସନ୍ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୫୦ ଜଣ ଶିଳ୍ପପତି ମଂଚରେ ଏକାଠି ବସିବେ । ଓଡିଶାରେ ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ପେଟ୍ରୋକେମିକାଲ୍ସ, ଏଗ୍ରି ଇଣ୍ଡଷ୍ଟ୍ରିଜ୍ ଭଳି ସେକ୍ଟରରେ ପୁଂଜି ନିବେଶ ନେଇ ଆଲୋଚନା ହେବ । ଏହାପରେ ହେବ ବିଜନେସ ଲିଡରସିପ୍ ସମ୍ମିଟ୍ । ଯେଉଁଥିରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଶିଳ୍ପପତିଙ୍କୁ ଉଦବୋଧନ ଦେବେ । ସିଆଇଆଇ ମେକ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣରୁ ଓହରିବା ପରେ ଏହାକୁ ସଫଳ କରିବାକୁ ନିଜେ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । ଓଡିଶାରେ ବ୍ୟାପକ ପୁଂଜିନିବେଶ ନେଇ ପୂର୍ବରୁ ବାଙ୍ଗାଲୋର, ଚେନ୍ନାଇ ଏବଂ ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍ କରାଯାଇଥିଲା । ଏବେ ସମସ୍ତଙ୍କ ନଜର ମେକ୍ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣରେ ଓଡିଶାକୁ କଣ ଶିଳ୍ପ ଆସୁଛି ଏବଂ କେତେ ପୁଂଜିନିବେଶର ପ୍ରତିଶ୍ରୁତି ମିଳୁଛି ।