‘୨.୦’ ସିନେମାର ନୂଆ ପୋଷ୍ଟର ରିଲିଜ୍ ! ମ୍ୟୁଜିକ୍ ଲଂଚ ପାଇଁ ଦୁବାଇ ପହଞ୍ଚିଲେ ରଜନୀକାନ୍ତ

34

ରିଲିଜ ହୋଇଛି ‘୨.୦’ ସିନେମାର ନୂଆ ପୋଷ୍ଟର । ପୋଷ୍ଟରରେ ଅଭିନେତା ରଜନୀକାନ୍ତ ନଜର ଆସୁଛନ୍ତି । ପୋଷ୍ଟରରେ ରଜନୀକାନ୍ତ ଖୁବ୍ ଆରାମରେ ବସିଥିବା ଦେଖିବାକୁ ମିଳିଛି । ଆଗାମୀ ଶୁକ୍ରବାର ଦିନ ଦୁବାଇ ସ୍ଥିତ ବୁର୍ଜ ପାର୍କରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଏହି ସିନେମା ମ୍ୟୁଜିକ ଲଂଚ ହେବାକୁ ଯାଉଛି । ମ୍ୟୁଜିକ ଲଂଚରେ ଏ.ଆର.ରେହମାନ ସଂଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି । ବୁର୍ଜ ପାର୍କରେ ଥିବା କାର୍ଯ୍ୟକ୍ରମରେ ଅଭିନେତା ରଜନୀକାନ୍ତ, ଅକ୍ଷୟ କୁମାର, ଅଭିନେତ୍ରୀ ଏମି ଜ୍ୟାକସନ ଏବଂ ନିର୍ଦ୍ଦେଶକ ଶଙ୍କର ଯୋଗ ଦେବେ ।

ମ୍ୟୁଜିକ ଲଂଚ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଛି ୧୫କୋଟି ଟଙ୍କା । ତେବେ ସବୁଠୁର ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩ଡିରେ ସୁଟିଂ ହୋଇଛି ପୁରା ସିନେମା । ରିପୋର୍ଟ ଅନୁସାରେ ୪୦୦ କୋଟି ବଜେଟରେ ତିଆରି ହୋଇଥିବା ସିନେମାକୁ ଏବେ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଏସୀୟ ସିନେମା କୁହାଯାଉଛି । ସାରା ବିଶ୍ୱରେ ୭୦୦୦ ସ୍କ୍ରିନରେ ରିଲିଜ୍ ହେବ ସିନେମା । ସିନେ ନିର୍ମାତା ଏହି ସିନେମା ପାଇଁ କଠିନ ପରିଶ୍ରମ କରୁଛନ୍ତି । ଏହାର ପ୍ରମୋସନ ପାଇଁ ୧୦୦ ଫୁଟ ଉଚ୍ଚ ହଟ୍ ଏୟାର ବେଲୁନ ପ୍ରସ୍ତୁତ କରାଯାଇଛି । ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଫଟୋ ରହିଛି । ତେବେ ସିନେମା ନେଇ ଦର୍ଶକ ବେଶ ଉତ୍ସୁକତା ସହ ଚାହିଁ ବସିଛନ୍ତି । ଏହି ସିନେମା ଆସନ୍ତା ଜାନୁୟାରୀ ୨୫ରେ ରିଲିଜ୍ ହେବ ।