କେରଳରେ କମୁଛି ବନ୍ୟାପାଣି, ହେଲେ ବଢୁଛି ଦୁର୍ଦ୍ଦଶା ! ୟୁଏଇର ୭ ଶହ କୋଟିର ବିଦେଶୀ ସହାୟତାକୁ ଗ୍ରହଣ କରିନପାରନ୍ତି କେନ୍ଦ୍ର ସରକାର ।

52

କେରଳରେ କମୁଛି ବନ୍ୟାପାଣି, ହେଲେ ବଢୁଛି ଦୁର୍ଦ୍ଦଶା । ପାଣି ଛାଡୁଥିବାବେଳ ବନ୍ୟା ବିପନ୍ନଙ୍କୁ ଏବେ ଘାରିଛି ସଂକ୍ରମଣର ଭୟ । ସେପଟେ କେରଳରେ ଜଳ ପ୍ରଳୟ ହେବା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି । ୟୁଏଇ ମଧ୍ୟ ୭ ଶହ କୋଟି ସହାୟତା ଦେବାକୁ ଘୋଷଣା କରିଛି । କିନ୍ତୁ ମିଳିଥିବା ଖବର ଅନୁସାରେ, ଏହି ୭ ଶହ କୋଟି ସହାୟତାକୁ ଗ୍ରହଣକରିନପାରନ୍ତି କେନ୍ଦ୍ର ସରକାର । ଦୀର୍ଘ ୧୫ ବର୍ଷ ଧରି ଘରୋଇ ବିପତିକୁ ସରକାର ନିଜସ୍ୱ ସଂଶୋଧନରେ ହିଁ ମୁକାବିଲା କରୁଛନ୍ତି ।

ଏହି ନୀତି ଆଧାରରେ ବିଦେଶୀ ସହୟତାକୁ ଗ୍ରହଣ ନ କରିବାକୁ କେରଳ ସରକାରଙ୍କୁ ପରାମର୍ଶ ଦେଇଛି କେନ୍ଦ୍ର । ଲଗାଣ ବର୍ଷାରେ କେରଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ହଜାର ହଜାର କିଲୋମିଟର ରାସ୍ତା ଧୋଇ ହୋଇ ଯାଇଥିବା ବେଳେ ଲୋକେ ପାଣି ଘେରରେ ରହିଛନ୍ତି । ୟୁଏଇରେ ୩୦ଲକ୍ଷ ଭାରତୀୟ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ହେଉଛନ୍ତି କେରଳର । ଏହାକୁ ଦୃଷ୍ଟିରେ ରଖି ୟୁଏଇ ସହଯୋଗର ହାତ ବଢାଇଛି । ମାଳଦ୍ୱୀପ ସରକାର ମଧ୍ୟ ୩୫ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ବିଦେଶୀଙ୍କ ଠାରୁ ସାହାଯ୍ୟ ନନେବା ପାଇଁ କେରଳ ରାଜ୍ୟକୁ କହିଛନ୍ତି ।