ବିଜୟରୁ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ ! ପ୍ରଥମ ଦିନିକିଆରେ ଭାରତଠାରୁ ୨୬ ରନରେ ହାରିଲା ଅଷ୍ଟ୍ରେଲିଆ

31

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିଆରେ ଭାରତ, ଅଷ୍ଟ୍ରେଲିଆକୁ ୨୬ ରନ୍ରେ ପରାସ୍ତ କରିଛି । ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବିଜୟୀ ହୋଇଛି ଭାରତ । ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ, ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ହାସଲ କରିଥିବା ୨୮୧ ରନ୍ । ଯେଉଁଥରେ ଧୋନି ୭୯ ଏବଂ ପାଣ୍ଡ୍ୟା ୮୩ ରନ୍ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଦଳର ଶୀଘ୍ର ୱିକେଟ୍ ପତନ ହେଇଥିଲେ ସୁଦ୍ଧା ଏହି ଯୋଡ଼ି ଦଳକୁ ଏକ ମଜବୁତ ସ୍ଥିତିକୁ ନେଇ ଆସିଥିଲେ ।

ତେବେ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ଥିଲା ୨୧ ଓଭରରେ ୧୬୪ ରନ୍ । ମାତ୍ର ଭାରତୀୟ ବୋଲିଂ ଆକ୍ରମଣ ଆଗରେ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଚାଲିଥିଲା ଅଷ୍ଟ୍ରେଲିଆ । ଆଉ ମାତ୍ର ୧୩୭ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୨୧ ତାରିଖରେ କୋଲକତାରେ ଖେଳାଯିବ । ମ୍ୟାଚରେ ଦମଦାର ୮୩ ରନ୍ କରିବା ସହ ୨ଟି ୱିକେଟ୍ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍ ଅପ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

ତେବେ ଏହି ମ୍ୟାଚରେ ଇତିହାସ ରଚିଛନ୍ତିି ମହେନ୍ଦ୍ର ସିଂ ଧୋନି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ରେ ୭୯ ରନ୍ କରିଛନ୍ତିି ଧୋନି । ଅର୍ନ୍ତଜାତୀୟ କ୍ରିକେଟରେ ଶହେ ତମ ଅର୍ଦ୍ଧଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ଧୋନି । ସଚିନ, ଦ୍ରାବିଡ ଏବଂ ଗାଙ୍ଗୁଲିଙ୍କ ପରେ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଏହି ରେକର୍ଡ କରିଛନ୍ତି ଧୋନି ।