ବିପଦ ଶଙ୍କୁଳ ଗୃହରେ ଚାଲିଛି ଶିକ୍ଷାଦାନ : ଶ୍ରେଣୀ ଗୃହରେ ଲହଡ଼ି ମାରୁଛି ବର୍ଷା ପାଣି, ପ୍ରଶାସନ ଚୁପ ବସିଥିବା ଅଭିଯୋଗ

32

କନକ ବ୍ୟୁରୋ: ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଯୋଜନା ପରେ ଯୋଜନା କରି ଚାଲୁଛନ୍ତି ରାଜ୍ୟ ସରକାର । ସର୍ବଶିକ୍ଷା ଯୋଜନା ମାଧ୍ୟମରେ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ଶ୍ରେଣୀଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ ହାଟଡିହି ବ୍ଲକ ସମଣା ପଞ୍ଚାୟତର ଚାପୁଣ୍ଡିଆ ସ୍କୁଲରେ ଆଜି ପର୍ଯ୍ୟନ୍ତ ଶ୍ରେଣୀଗୃହ ନିର୍ମାଣ ନହେବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ପାଣି ଲହଡି ମାରୁଛି । ପିଲାମାନେ ବସିବାପାଇଁ ସ୍ଥାନ ଟିକିଏ ପାଉ ନଥିବାବେଳେ ଠିଆ ହୋଇ ଶିକ୍ଷାଲାଭ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଚାପୁଣ୍ଡିଆଗ୍ରାମରେ ଥିବା ଭାଗିରଥି ନୋଡାଲ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ମୋଟ ୬୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ୮ଟି ଶ୍ରେଣୀପାଇଁ ମାତ୍ର ତିନୋଟି ଶ୍ରେଣୀଗୃହ ଥିବାବେଳେ ସେଥିମଧ୍ୟରୁ ଦୁଇଟି ଶ୍ରେଣୀଗୃହର ଆଜବେଷ୍ଟ ଭାଙ୍ଗି ଯିବା ସହ ବିପଦ ସଂକୁଳ ହୋଇପଡିଛି । କାନ୍ଥ ଗୁଡିକରୁ ପ୍ଲାଷ୍ଟାର ଖସିପଡିଥିବା ସହ କାନ୍ଥ ଗୁଡିକ ଫାଟି ଯାଇ ଆଁ କରିଛି । ବର୍ଷା ହେବାଯୋଗୁଁ ଭଙ୍ଗା ଆଜବେଷ୍ଟସ ଦେଇ ବର୍ଷାପାଣି ଶ୍ରେଣୀ ଗୃହ ଭିତରେ ପଡୁଛି ଯେ ଛାତ୍ରଛାତ୍ରୀ ମାନେ ବସିବାପାଇଁ ସ୍ଥାନ ଟିଏ ପାଉନାହାନ୍ତ । ଶ୍ରେଣୀଗୃହ ଭିତରେ ପାଣି ଲହଡି ମାରୁଛି ।

ସ୍କୁଲରେ ବସିବାପାଇଁ ସ୍ଥାନ ନଥିବାରୁ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ପିଲାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଆଣ୍ଠୁଏ ପାଣିରେ ପସି ସ୍କୁଲକୁ ଯାଉଛନ୍ତି । ବିଦ୍ୟାଳୟର ଫଟା କାନ୍ଥ ମଧ୍ୟରେ ନାନା ପ୍ରଜାତିର ବିଷଧର ସାପ ମାନ ବସବାସ କରୁଥିବାରୁ ଏହା ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଶ୍ରେଣୀଗୃହ ପାଇଁ ୪ବର୍ଷ ହେଲା ଗ୍ରାମବାସୀମାନେ ଦାବି କରି ଅସୁଥିଲେ ମଧ୍ୟ ଶିକ୍ଷାବିଭାଗର ଉଚ୍ଚ କର୍ତ୍ତୁପକ୍ଷ ବର୍ଷ ବର୍ଷ କହି ସମୟ ଗଡାଇ ଚାଲିଛନ୍ତି । ଗତ ୨୦୧୧ ମସିହାରେ ଏକ ଶ୍ରେଣୀଗୃହ ନିର୍ମାଣ କରାଯାଉଥିବାବେଳେ ତାହା ଅଧାପନ୍ତରିଆ ଭାବେ ପଡି ରହିଛି । ତୁରନ୍ତ ଶ୍ରେଣୀଗୃହ ନିର୍ମାଣ କରିବା ସହିତ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।