କେବେ ଭୋଗିଥିଲେ ତିରଷ୍କାର ଏବେ ସନ୍ତାନ ଦେଲେ ଯଶର ପୁରଷ୍କାର !

56

ଦିନେ ଶିକ୍ଷା ତା’ ପାଇଁ ଥିଲା ସାତ ସପନ। ଯେବେ ବାପାଙ୍କୁ ପୁଲିସ୍ ହାତକଡ଼ି ପକେଇ ଟାଣି ନେଉଥିଲା ସେଦିନ ସେ ଭେଁ ଭେଁ ହୋଇ କାନ୍ଦିଥିଲା। ମାତ୍ର ଆଇନର ନାଲିଆଖି ଆଗରେ ତାର ଅଲିଅଳପଣର କିଛି ବି ଫରକ ପଡ଼ି ନଥିଲା। ଏ ଭିତରେ ୧୧ ବର୍ଷ ବିତିଗଲାଣି। ସେଦିନ ବାପାଙ୍କ ସ୍ନେହରୁ ବଞ୍ଚିତ ହୋଇଥିବା ଭବାନୀପାଟଣାର ତିରେନ୍ଦ୍ର ମେହେର ଆଜି +୨ କଳାରେ ୬୫ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି। ବାପାଙ୍କୁ ନିଜ ଆଖି ସାମ୍ନାରେ ପୁଲିସ୍ ଟାଣି ନେଉଥିବା ଦେଖିଥିବା ତିରେନ୍ଦ୍ର ପୁଲିସ୍ ହେବାକୁ ସ୍ୱପ୍ନ ଦେଖିଛନ୍ତି। ଆଉ ତା’ର ଏହି ସ୍ୱପ୍ନକୁ ସାକାର କରିବାରେ ମୁଖ୍ୟ ଭୂମିକା ନେଇଛି ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନ।

ଖାଲି ତିରେନ୍ଦ୍ର ନୁହେଁ ସୁଜାତା ସାହୁଙ୍କ ବାପା ମା’ ଉଭୟ ନୟାଗଡ଼ ଉପକାରାଗାରରେ କଏଦୀ ଭାବେ ଜୀବନ କାଟୁଥିବା ବେଳେ ସେ ମଧ୍ୟ ବିଜେବି କଲେଜରୁ +୨ କଳାରେ ୬୧ ପ୍ରତିଶତ ରଖି ପାସ୍ କରିଛନ୍ତି। କମଳା ନେହେରୁ କଲେଜରେ ପଢ଼ୁଥିବା ସୁବାସିନୀ ଲାକ୍ରା ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ +୨ ବିଜ୍ଞାନରେ ବିଘ୍ନରାଜ ବାଗ ପ୍ରଥମ ଶ୍ରେଣୀରେ, ମେଟ୍ରିକ୍ରେ ଚାମରି ବାଦ୍ରା ପ୍ରଥମ ଶ୍ରେଣୀରେ ଏବଂ ସାୟତ୍ରୀ ସତନାମୀ ଦ୍ୱିତୀୟ ଶ୍ରେଣୀରେ ପାସ ହୋଇଥିବା ବେଳେ ଏ ପର୍ୟ୍ୟନ୍ତ ମେଟ୍ରିକ୍, +୨ ଓ +୩ରେ ୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଶିକ୍ଷା ନିକେତନର ଅଧ୍ୟକ୍ଷା ନିରୋଜାଲକ୍ଷ୍ମୀ ମହାପାତ୍ର କହିଛନ୍ତି।