ହୃଦୟ ଜିତିନେଲେ ଜିଲ୍ଲାପାଳ ! ପରିଚୟ ଲୁଚାଇ କରୁଥିଲେ ସହାୟତା ସତ୍ୟତା ଜଣାପଡିବା ପରେ ଲୋକେ କଲେ ସଲାମ୍ ।

33

ନିକଟରେ କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାର ବିଭୀଷିକାରେ ହଜାର ହଜାର ଲୋକଙ୍କ ଆଖିଆଗରେ ଉଜୁଡି ଯାଇଥିଲା ତାଙ୍କ ପରିବାରର ହସଖୁସି । କିନ୍ତୁ କେରଳବାସୀଙ୍କ ସଂକଟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ସହାୟତାର ହାତ ବଢିଥିଲା । ସ୍ୱେଚ୍ଛାକୃତ ଭାବେ ସ୍ୱେଚ୍ଛାସେବୀମାନେ ଆଗକୁ ଆସି କେରଳବାସୀଙ୍କ ଦୁଃଖରେ ଭାଗୀଦାର ହୋଇଥିଲେ । ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ବଡ ଅଫିସରମାନେ ମଧ୍ୟ ନିଜ ପଦବୀର ଅହଙ୍କାର ତ୍ୟାଗ କରି କେରଳବାସୀଙ୍କ ସହାୟତା ସକାଶେ ଆଗକୁ ଆସିଥିଲେ । ଏଭଳି କିଛି ନେତା ତଥା ଅଫିସରଙ୍କ କଥା ଆପଣ ଟୁଇଟର କିମ୍ବା ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଥିବେ । କିନ୍ତୁ କେରଳବାସୀଙ୍କ ଦୁଃଖରେ ଭାଗୀଦାର ହେବାପାଇଁ ଭିଡ ଭିତରେ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଯେ ନିଜ ଅସଲ ପରିଚୟ ଲୁଚାଇ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ ।


 

ଏହି ବରିଷ୍ଠ ବ୍ୟକ୍ତି ଜଣକ ମଧ୍ୟ ଜଣେ ଆଇଏଏସ୍ ଅଫିସର । କିନ୍ତୁ ନିଜ ପରିଚୟ ସାମ୍ମାକୁ ଆସିବା ପରେ ଲୋକ ତାଙ୍କୁ ସଲାମ୍ ନକରି ରହିପାରୁନାହାନ୍ତି । ଆମେ ଏଠାରେ ଆପଣଙ୍କୁ କନ୍ନନ ଗୋପୀନାଥନଙ୍କ କଥା କହୁଛୁ । ୨୦୧୨ ବ୍ୟାଚର ଏଜିଏମୟୁଟୀ କ୍ୟାଡରର ଅଫିସର କନ୍ନନ କେରଳର କୋଟ୍ଟୟମରେ ରୁହନ୍ତି ଏବଂ ଦାଦରା ,ହାବେଳିରେ କଲେକ୍ଟର ପୋଷ୍ଟରେ କାର୍ଯ୍ୟରତ ଅଛନ୍ତି । ରିପୋର୍ଟ ମୁତାବକ,କେରଳରେ ବନ୍ୟାର ଖବର ପାଇବା ପରେ ସେ କାମରୁ ଛୁଟି ନେଇ କେରଳ ଆସିଥିଲେ । ସର୍ବପ୍ରଥମେ ସେ ଦାଦରା ଏବଂ ନଗର ହାବେଳିର ପ୍ରଶାସନ ତରଫରୁ କେରଳ ବନ୍ୟା ପାଇଁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ଏହାପରେ ରିଲିଫ୍ କାର୍ଯ୍ୟରେ ଆଗକୁ ଆସିଲେ । ନିଜ ଅସଲ ପରିଚୟ ଲୁଚାଇ ସେ ଅଲପୁଝାରେ ପ୍ରଥମେ ରିଲିଫ୍ ପାଇଁ କାମ କଲେ ଏବଂ ସେଠାରୁ ଏର୍ଣ୍ଣାକୁଲମ୍ ଯାତ୍ରା କଲେ । କିନ୍ତୁ ବହୁତ ଦିନ ପରେ ସେ କେରଳ ରିଲିଫ୍ ସମୟର ଦୃଶ୍ୟକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର୍ କଲାପରେ ପ୍ରକୃତ ଘଟଣା କ’ଣ ଜଣାପଡିଥିଲା ।

ରିପୋର୍ଟ ମୁତାବକ, କନ୍ନନ କାମ କରୁଥିବା ସମୟରେ କେବିପିଏସ୍ ପ୍ରେସ୍ ସେଣ୍ଟରରେ ଆସିଥିବା ଏର୍ଣ୍ଣାକୁଲମ୍ କଲେକ୍ଟର ତାଙ୍କୁ ଚିହ୍ନିପାରିଥିଲେ ଏବଂ ସେଠାରେ ତାଙ୍କ ଅସଲ ପରିଚୟର ପର୍ଦାଫାସ୍ ହୋଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସ୍ୱେଚ୍ଛାସେବୀ କନ୍ନନ ଅସଲ ପରିଚୟ ଜାଣି ସ୍ତମ୍ବୀଭୁତ ହେବା ସହ ତାଙ୍କ ପାଇଁ ମନରେ ଅନେକ ସମ୍ମାନ ମଧ୍ୟ ଆଣିଥିଲେ । ତେବେ କନ୍ନନ ଗୋପୀନାଥନଙ୍କ ଏହି କାହାଣୀ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଆଇଏଏସ୍ ଆସୋସିଏସନ୍ ମଧ୍ୟ ଟ୍ୱିଟ୍ କରି ତାଙ୍କୁ ଏନେଇ ସାବାସୀ ଜଣାଇଥିଲେ ।