୪୨ ଡିଗ୍ରୀ ତାପମାତ୍ରାରେ ପଢୁଛନ୍ତି ୧ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ! ଏମିତି ଅବ୍ୟବସ୍ଥାରେ ଚାଲିଛି ୧୮୩୪ ସ୍କୁଲ ।

63

ଗ୍ୱାଲିୟରରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ତାପମାତ୍ରା ୪୨ ଡିଗ୍ରୀରେ ପହଞ୍ଚିଛି । ଏପରି ଭିଷଣ ଗରମରେ ଲୋକେ ଏସି ଓ କୁଲର ଛାଡି ବାହାରକୁ ଯିବା ଅସମ୍ଭବ ହୋଇଗଲାଣି । କିନ୍ତୁ ଗ୍ୱାଲିୟରର ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ପଢୁଥିବା ୧ ଲକ୍ଷ ୧୨ ହଜାର ଛାତଛାତ୍ରୀ ବିନା ପଙ୍ଖାରେ ବିଦ୍ୟାଳୟରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ସହରରେ ବଢୁଥିବା ତାପମାତ୍ରା ଏବଂ ଅଂଶୁଘାତର ଶିକାର ହେଉଥିବା ଲୋକମାନଙ୍କ ସଂଖ୍ୟାକୁ ଦେଖି ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ନିଜ ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ବାରଣ କରୁଛନ୍ତି ।

ତେବେ କେବଳ ସେହି ପିଲାମାନେ ହିଁ ସ୍କୁଲ ଯାଉଛନ୍ତି ଯେଉଁ ମାନଙ୍କର ମଧ୍ୟାନ ଭୋଜନର ଆବଶ୍ୟକତା ରହିଛି । ତେବେ ବିଦ୍ୟାଳୟର ଅନୁଧ୍ୟାନ କରିବା ପାଇଁ ଯାଇଥିବା ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ ଏବେ ମାତ୍ର ୪ ରୁ ୫ ଟି ପିଲା ସ୍କୁଲ ପରିସରରେ ନଜର ଆସୁଛନ୍ତି ।

ସୂଚନା ଅନୁଯାୟୀ, ଗ୍ୱାଲିୟର ଜିଲ୍ଲାରେ ପ୍ରାୟ ୧୮୩୪ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ରହିଛି । ସେଥି ମଧ୍ୟରୁ ୧୨୭୪ ପ୍ରାଥମିକ ଏବଂ ୫୬୦ ଟି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରହିଛି । କିନ୍ତୁ ଏ ସମସ୍ତ ବିଦ୍ୟାଳୟରେ ଖରାଦିନେ ପାଠ ପଢିବା ପାଇଁ ଇଲେକ୍ଟ୍ରିସିଟିର ବ୍ୟବସ୍ଥା ପହଞ୍ଚି ପାରି ନାହିଁ । ତେଣୁ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଗରମରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି ।

ବର୍ଷକୁ ୫୦୦୦ ଟଙ୍କାରେ କରାଯାଏ ସ୍କୁଲର ମେଣ୍ଟେନାନ୍ସ :

ପ୍ରାଥମିକ ବିଦ୍ୟାଳୟକୁ ପ୍ରତି ବର୍ଷ ୫୦୦୦ ଟଙ୍କା ସ୍କୁଲର ରକ୍ଷଣା ବେକ୍ଷଣା କରିବା ପାଇଁ ଦିଆଯାଇଥାଏ । ଶିକ୍ଷକ ମାନେ ସ୍କୁଲରେ ବିଦ୍ୟୁତ କନେକସନ ଆଣିବା, ସ୍କୁଲର ଇଲେକ୍ଟ୍ରି ବିଲ୍ ଭରଣ କରିବା , ଭଙ୍ଗା ରୁଜା ହୋଇଯାଇଥିବା ଜିନିଷର ମରାମତି କରିବା , ପାଣିର ବ୍ୟବସ୍ଥା କରିବା , ପିଲାଙ୍କୁ ପାଠ ପଢାଇବା ପାଇଁ ଚକ ଖଡି ଆଣିବା ଆଦି ବ୍ୟବସ୍ଥା ଏହି ୫୦୦୦ ଟଙ୍କା ମଧ୍ୟରେ କରିବାକୁ ପଡିଥାଏ । ଏହି ସମସ୍ତ କାରଣରୁ କୌଣସି ସ୍କୁଲରେ ବିଦ୍ୟୁତ ଏବଂ ପାନୀୟ ଜଳର ବ୍ୟବସ୍ଥା ହୋଇପାରୁ ନାହିଁ । ଠିକ ସେହିଭଳି ମାଧ୍ୟମିକ ସ୍କୁଲର ତଦାରଖ କରିବା ପାଇଁ ବର୍ଷକୁ ୧୦୦୦୦ ଟଙ୍କା ଦିଆଯାଇଥାଏ ।

ସହରର ସମସ୍ତ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ନଗର ନିଗମ ଅଧୀନରେ ରହିଥାଏ । ତେଣୁ ପ୍ରତିଟି ବିଦ୍ୟାଳୟରେ ବିଦ୍ୟୁତ ଏବଂ ପାଣିର ବ୍ୟବସ୍ଥା କରିବା ନଗର ନିଗମର କାର୍ଯ୍ୟ ଅଟେ । ଯାହାକି ନଗର ନିଗମ ଆଜିଯାଏଁ କରିବାରେ ଅସଫଳ ରହିଛି ।