ସୁନା ଦରରେ ଓଜନ ହେଉଛି ମାଛ ! ବଜାରରେ ଆକାଶଛୁଆଁ ହେଲା ଇଲିସି, କିଲୋ ପ୍ରତି ଅଢ଼େଇ ହଜାର ଟଙ୍କା

236

କନକ ବ୍ୟୁରୋ : କଥାରେ ଅଛି, ଚାକିରି କରିବ ପୁଲିସ, ମାଛ ଖାଇବ ଇଲିସି । ହେଲେ ଆପଣଙ୍କ ପକେଟରେ ଯଦି ଯଥେଷ୍ଟ ପଇସା ନାହିଁ ତାହା ହେଲେ ଇଲିସି କିଣିବା କିମ୍ବା ଖାଇବା ପାଇଁ ଆଦୌ ମନ ବଳାନ୍ତୁ ନାହିଁ । କାରଣ, ବଜାରରେ ଏବେ ଇଲିସି କହୁଛି ମୋତେ ଛୁଅଁନି । ଭୁବନେଶ୍ୱର କି କଟକ କଥା ଛାଡନ୍ତୁ, ସମୂଦ୍ରକୂଳିଆ ସହର ପାରାଦୀପରେ ଏବେ ଏ ସୁଆଦିଆ ମାଛର ଦର ଆକାଶ ଛୁଆଁ । ସୁନା ଏକ ଗ୍ରାମର ଦର ସହିତ ଇଲିସି ୧ କେଜିର ଦର ଏବେ ପ୍ରାୟ ସମାନ ।

ଶିଳ୍ପ ନଗରିରେ ଗଢି ଉଠିଥିବା କଳକାରଖାନାର ବିଷାକ୍ତ ପାଣି ଯୋଗୁଁ ଇଲିସି ଉତ୍ପାଦନ କମୁଛି । କଳକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ପାଣି ସିଧାସଳଖ ସମୁଦ୍ରରେ ମିଶିବା ଯୋଗୁଁ ଜଳ ପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି । ଯାହାର ପ୍ରଭାବ ଏବେ ବଜାର ଉପରେ ପଡିଛି । କମ୍ ଉତ୍ପାଦନ ସାଙ୍ଗକୁ ମାଛ ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ ପାରାଦୀପ ବଜାରରେ ଇଲିସି ଦର ଏବେ ୨ ହଜାରରୁ ଅଢ଼େଇ ହଜାର ରହିଛି । ଫଳରେ ସାଧାରଣ ଲୋକଙ୍କ ପାଇଁ ଏ ମାଛ ଖାଇବା ସ୍ୱପ୍ନ ପାଲଟିଛି ।

ଏବେ ତ ଇଲିସି ଦର ଆକାଶ ଛୁଆଁ ହୋଇଛି, ଜଳ ପ୍ରଦୂଷଣ ଯଦି ଏହିଭଳି ବଢେ ତେବେ ଆଗକୁ ଏ ମାଛ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ପରିବେଶବିତ୍ ।