କେରଳର ବନ୍ୟା ସ୍ଥିତି ଗମ୍ଭୀର : ସହାୟତାର ହାତ ବଢାଇଲା ଓଡିଶା,ବନ୍ୟା ପୀଡିତଙ୍କ ପାଇଁ ୫ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

74

କନକ ବ୍ୟୁରୋ : କେରଳରେ ବନ୍ୟା ପୀଡିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ରାଶି ଘୋଷଣା । ସେଠାକାର ଜନସାଧାରଣ ପାଇଁ ନବୀନ ୫କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ସୂଚନା ମିଳିଛି । ସାରା ଭାରତରୁ କେରଳ ଲାଗି ସହାୟତା ଦିଆଯାଉଥିବା ସୂଚନା ମିଳିଛି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆକାଶ ମାର୍ଗରୁ ବନ୍ୟାର ଗମ୍ଭୀରତା ଦେଖିଥିଲେ । କେରଳର ୧୨ଟି ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଅପରାହ୍ଣ ୨ଟା ପର୍ଯ୍ୟନ୍ତ କୋଚି ବିମାନ ବନ୍ଦରକୁ ବନ୍ଦ ରଖାଯିବା ସହ ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।

 

ବର୍ତ୍ତମାନ ସମୟରେ ବନ୍ୟାରେ ପ୍ରଭାବିତ ଲୋକମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାର ମଧ୍ୟ ସମସ୍ତ ସହାୟତା ଯୋଗାଇ ଦେବା ସହ ପବନହଂସ ମାଧ୍ୟମରେ ଲୋକମାନଙ୍କୁ ସରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ତେବେ ସେଠାକାର ସ୍ଥାନୀୟ ଲୋକମାନେ ଏପରି ବର୍ଷା ସେମାନେ କେବେବି ଦେଖିନଥିବା କହିଛନ୍ତି । ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ସମୟରେ କ୍ଷୟକ୍ଷତିର ସୂଚନା ସରକାରୀ ଭାବେ କୁହାଯାଇନଥିବା ବେଳେ ପାଣି କମିଲେ ତାହା ଆକଳନ କରାଯିବା ସହ କ୍ଷତିଗ୍ରସ୍ତମାନଙ୍କୁ ସହାୟତ ଦିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।