ଗୁରୁପ୍ରିୟା ସେତୁ ନେଇ ସ୍ୱପ୍ନ ଦେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ! ବାସ୍ତବତାର ରୂପ ଦେଲେ ନବୀନ, ଶେଷରେ ନିର୍ମାଣ ହେଲା ସମ୍ପର୍କର ସେତୁ ଗୁରୁପ୍ରିୟା ।

68

୧୯୮୦ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ବିଚ୍ଛିନ୍ନାଞ୍ଚଳକୁ ସଡକ ପଥରେ ଯୋଡିବା ପାଇଁ ଏକ ସେତୁ ନିର୍ମାଣର ପରିକଳ୍ପନା କରାଯାଇଥିଲା । ଜାନବାଇ ଠାରେ ଏଥିପାଇଁ ୧୯୮୨ ମସିହା ବେଳକୁ ଶୁଭ ଦେଇଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ଗୁରୁପ୍ରିୟା ଉପରେ ୮କୋଟି ଟଙ୍କା ବ୍ୟୟ ଅଟକଳରେ ଝୁଲା ପୋଲ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପୁଣି ଥରେ ଏହି ପ୍ରକଳ୍ପ ନେଇ ରାଜ୍ୟବାସୀଙ୍କୁ ସ୍ୱପ୍ନ ଦେଖାଇଥିଲେ । ୨୦୦୪ ମସିହାରୁ ରାଜ୍ୟ ସରକାର ଏହି ସେତୁ ନିର୍ମାଣକୁ ଗୁରୁତ୍ୱ ଦେଇ ଆସିଛନ୍ତି ।

କେତେବେଳେ ରାଜ୍ୟ ସରକାରଙ୍କ ସଂସ୍ଥା ଓବିସିସି ତ ଆଉ କେତେବେଳେ ଓସିସିକୁ କାର୍ଯ୍ୟ ଦିଆଯାଇଥିଲା । କିନ୍ତୁ ସେତୁ ନିର୍ମାଣ ହୋଇପାରିନଥିଲା । ଅଗଭୀର ଏହି ନଦୀର ପାଖାପାଖି ୨୪୦ ମିଟର ଅଞ୍ଚଳରେ ସବୁବେଳେ ୭୦ରୁ ୯୦ ଫୁଟ ପର୍ଯ୍ୟନ୍ତ ପାଣି ରହୁଥିଲା । ୨୦୦୬ ମସିହାରେ ରାଜ୍ୟ ସରକାର ମୁମ୍ବାଇର ମେସର୍ସ ଗାମନ ଇଣ୍ଡିଆକୁ ଏହି କାମ ଦେଇଥିଲେ । ୪୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ସଂସ୍ଥା କାମ ଆରମ୍ଭ କଲା । ମାତ୍ର ନକ୍ସଲ ଏହି ସେତୁ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ସଂସ୍ଥାର ସମସ୍ତ ସରଞ୍ଜାମକୁ ନକ୍ସଲମାନେ ପୋଡିଦେଲେ । ବାରମ୍ବାର ସେମାନଙ୍କ କ୍ୟାମ୍ପ ଉପରେ ଆକ୍ରମଣ ହେଲା । ସ୍ଥିତି ଗମ୍ଭୀର ଦେଖି ସଂସ୍ଥା ଏହି ପ୍ରକଳ୍ପରୁ ଓହରି ଯାଇଥିଲା ।

ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେନାର ସହାୟତା ନେବା ପାଇଁ ଚିନ୍ତା କରିଥିଲେ । କାରଣ ପାଖାପାଖି ୧୧ଥର ପ୍ରକଳ୍ପ ପାଇଁ ନିଲାମ ଡକାଗଲା, କିନ୍ତୁ ପ୍ରତିଟି ଥର କିଛି ନା କିଛି ବାଧା ସୃଷ୍ଟି ହେଲା । ଶେଷରେ ୨୦୧୪ ମସିହାରେ କୋଲକାତାର ରୟାଲ ଇନଫ୍ରା କନଷ୍ଟ୍ରକସନ୍ ଲିମିଟେଡ୍ ଏହି କାର୍ଯ୍ୟ ହାତକୁ ନେଲେ । ୧୭୨ କୋଟି ୫୮ ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ହିଁ ରାଜ୍ୟ ସରକାର ବିଏସଏଫର ସହାୟତା ନେଇଥିଲେ । ବିଏସଏଫ ସେତୁର ଉଭୟ ପାଶ୍ୱର୍ରେ ଜଗି ରହିଲେ ଓ ଶେଷରେ ସଂସ୍ଥା ୩ବର୍ଷ ୩ମାସରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇଛି ।