ସ୍ୱାଧୀନତା ପାଇଁ ଜୀବନକୁ ବାଜି ଲଗାଇଥିଲେ ବାଜି ରାଉତ ।

9

ଭୁବନଠାରୁ ପ୍ରାୟ ୩ କିଲୋମିଟର ଦୂରବର୍ତ୍ତୀ ବ୍ରାହ୍ମଣୀନଦୀ କୂଳରେ ଅବସ୍ଥିତ ନୀଳକଣ୍ଠପୁର ଗାଁ । ଏହି ଗାଁକୁ ଯିବାକୁ ହେଲେ ବ୍ରାହ୍ମଣୀନଦୀ ଅତିକ୍ରମ କରିବାକୁ ପଡିଥାଏ ଡଙ୍ଗାରେ । ସେହି ଗାଁରେ ଜନ୍ମ ବାଜି ରାଉତର । ଢେଙ୍କାନାଳ ପ୍ରଜାମଣ୍ଡଳର ବାଜି ରାଉତ ଥିଲା ତଥାକଥିତ ବାନରସେନାର ଜନତା କର୍ମୀ । ନୀଳକଣ୍ଠପୁର ଗ୍ରାମର ଅଧିବାସୀମାନେ ଭୁବନ ଗ୍ରାମରେ ପୋଲିସର ଅମାନୁଷିକ କାର୍ଯ୍ୟ ବିରୋଧରେ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ତାଙ୍କ ସହିତ ଯୋଗ ଦେଇଥି ଲା ୧୨ ବୟସର ସେହି ବାଳକ ବାଜି ରାଉତ ।

ଭୁବନ ଗ୍ରାମରୁ ମୃତ ଆହତ କର୍ମୀଙ୍କ ସହ ପୋଲିସ ଫୌଜ ଆସି ପହଞ୍ଚିଥିଲେ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ ଭୋର ୪ ଟା ସମୟରେ ନୀଳକଣ୍ଠପୁରସ୍ଥିତ ବ୍ରାହ୍ମଣୀନଦୀର ଡଙ୍ଗା ଘାଟରେ । ସେମାନଙ୍କୁ ଡଙ୍ଗା ପାର କରାଇ ନ ଦେବାପାଇଁ ପ୍ରଜାମଣ୍ଡଳ କର୍ମୀମାନେ ସେଠାରେ ଥିବା ସରକାରୀ ଡଙ୍ଗାକୁ ବୁଡାଇ ଦେଇଥିଲେ । ଆଉ ଥିଲା ଗୋଟିଏ ମାତ୍ର ବେସରକାରୀ ଡଙ୍ଗା । ସେହି ଡଙ୍ଗାରେ ସେମାନଙ୍କୁ ପାର କରିବା ପାଇଁ ମନାକରି କେତେଜଣ ଗ୍ରାମବାସୀ ଡଙ୍ଗାର ଦଉଡି ଛାଡି ନ ଥିଲେ । ଡଙ୍ଗାର ମଙ୍ଗ ଉପରେ ବସିଥାଏ ବାଜି ରାଉତ ।

ଏହି ବାଜି ରାଉତ ସ୍ୱଳ୍ପ ବୟସର ପିଲା ହୋଇଥିଲେ ମଧ୍ୟ ରାଜାଙ୍କର କୁଶାସନ ବିରୋଧରେ ପ୍ରଜାମଣ୍ଡଳର ସତ୍ୟାଗ୍ରହୀମାନେ ଆନ୍ଦୋଳନ ଚଳାଇଥିବାରୁ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇଥିଲା । ୧୯୩୮ ମସିହା ସେପ୍ଟେମ୍ବର ୧୨ ତାରିଖଦିନ ରାଜାଙ୍କ ବିରୋଧରେ ଆୟୋଜିତ ସଭାରେ ଯୋଗଦେବା ପାଇଁ ସେ ଢେଙ୍କାନାଳ ସହରକୁ ଯାଇଥିଲା । ସେଠାରେ ପ୍ରଜାମଣ୍ଡଳର ଆଭିମୁଖ୍ୟ ଉପରେ ପଦତ୍ତ ଭାଷଣ ତା ହୃଦୟତନ୍ତ୍ରୀରେ ଶିହରଣ ସୃଷ୍ଟି କରିଥିଲା । ସେଥିପାଇଁ ସେ ଦିନ ସେ ଡଙ୍ଗାର ମଙ୍ଗ ଉପରେ ବସି ଫୌଜକୁ ଛାଡି ନ ଥିଲା ।

ପୋଲିସ୍ ଫଉଜ ଅନ୍ୟ ଉପାୟ ନ ଦେଖି ପ୍ରଜାମଣ୍ଡଳ କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ସେହିଠାରେ ବାଜିରାଉତ ସମେତ ୫ ଜଣ ମୃତ୍ୟୁବରଣ କରିଥିଲେ । ବିଶେଷତଃ କୋମଳମତି ବାଜି ରାଉତର ମୃତ୍ୟୁରେ ସମସ୍ତେ ମ୍ରିୟମାଣ ହୋଇପଡିଥିଲେ । ଏହି ଜଘନ୍ୟ ଗୁଳିକାଣ୍ଡକୁ ସର୍ବତ୍ର ନିନ୍ଦା କରାଯାଇଥିଲା । ବାଜି ରାଉତ ଏବଂ ଅନ୍ୟ ଚାରି ସହିଦଙ୍କର ମୃତଶରୀରକୁ ଶୋଭାଯାତ୍ରାରେ ନିଆଯାଇ କଟକର ଖାନନଗର ଶ୍ମଶାନରେ ଅକ୍ଟୋବର ୧୨ ତାରିଖ ଦିନ ଦାହ କରାଯାଇଥିଲା । ଅନତିଦୂରରେ ଉପବିଷ୍ଟ ବରେଣ୍ୟ କବି ସଚ୍ଚି ରାଉତରାୟ ବାଷ୍ପାକୁଳ କଣ୍ଠରେ ଗାଇଥିଲେ-

“ନୁହେଁ ବନ୍ଧୁ ନୁହେଁ ଏହା ଚିତା । ଏ ଦେଶ ତିମିର ତଳେ ।
ଏ ଅଲିଭା ମୁକତି ସଳିତା । ନୁହେଁ ଏହା ଜଳିଯିବାପାଇଁ ।”

ଏହିପରି ଭାବେ ବାଜି ରାଉତ ହୋଇଥିଲା ଗଡଜାତ ପ୍ରଜା ଆନ୍ଦୋଳନର ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ଏବେବି ବାଜି ରାଉତ ଆତ୍ମବଳିର ସ୍ମୃତି ଅମ୍ଲାନ ରହିଛି ।

Comments are closed.